ପାରାଦୀପ କନ୍‌ଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ: ମୁଖ୍ୟ ମେକାନିକାଲ୍‌ ଇଂଜିନିୟର୍‌ଙ୍କ ସମେତ ୪ ଗିରଫ

ସାଢ଼େ ୮୪ ଲକ୍ଷ ଟଙ୍କା ଜବତ କଲା ସିବିଆଇ, ୪ ଦିନିଆ ରିମାଣ୍ଡରେ ସରୋଜ, ସୁମନ୍ତ ଓ ସୂର୍ଯ୍ୟ

ଭୁବନେଶ୍ବର : ପାରାଦୀପ ବନ୍ଦରରେ ଏକ କନଭେୟର୍‌ ବେଲ୍ଟର ମରାମତି ପାଇଁ ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ପାରାଦୀପ ବନ୍ଦରର ମୁଖ୍ୟ ମେକାନିକାଲ ଇଂଜିନିୟର୍‌ ସରୋଜ ଦାସଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ, ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଡିଜିଏମ୍‌ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ୍‌ର ଅପରେସନ୍‌ ମ୍ୟାନେଜର୍‌ ଶଙ୍ଖଶୁଭ୍ରା ମିତ୍ର ଓ ଠିକା କର୍ମଚାରୀ ସୁମନ୍ତ ରାଉତ ଓରଫ ବନ। ଏହି ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରୁ ପର୍ଯ୍ୟାୟକ୍ରମେ ସାଢ଼େ ୮୪ ଲକ୍ଷରୁ ଊର୍ଧ୍ବ ଟଙ୍କା ଜବତ କରିଛି। ସିବିଆଇ ଆଜି ଏହି ମାମଲାରେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ମଧ୍ୟ ଜେରାକରିଛି। ସେପଟେ ମହିମାଙ୍କ ଅନ୍ୟ ଏକ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ କଟକ ବଡ଼ବଜାରସ୍ଥିତ ବାସଭବନରୁ ନେଇ ଅଟକ ରଖିଛି। ଏହି ମାମଲାରେ ସିବିଆଇ କେସିଟି ଗ୍ରୁପ୍‌ର ଦେବପ୍ରିୟ ମହାନ୍ତି ଏବଂ ଅନ୍ୟମାନେ ମଧ୍ୟ ସିବିଆଇ ସ୍କାନର୍‌‌ରେ ରହିଥିବା ଜଣାଯାଇଛି। ଆଜି ସିବିଆଇ ଅଧିକାରୀମାନେ ମାମଲାର ଅଧିକ ଖୋଳତାଡ଼ ପାଇଁ ଗିରଫ ଅଭିଯୁକ୍ତ ସରୋଜ, ସୁମନ୍ତ ଓ ସୂର୍ଯ୍ୟଙ୍କୁ ୪ଦିନିଆ ରିମାଣ୍ଡ‌ରେ ଆଣିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ କିଛି ଦିନ ତଳେ କଟକସ୍ଥିତ ଏକ ଘରୋଇ ସଂସ୍ଥାର କାର୍ଗୋ ଅନ୍‌ଲୋଡିଂ ବେଳେ ପାରାଦୀପ ବନ୍ଦରରେ ଥିବା ଏକ କନ୍‌ଭେୟର୍‌ ବେଲ୍ଟ ନଷ୍ଟ ହୋଇଯାଇଥିଲା। ଏହାର ମରାମତି ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକ ପଡ଼ୁଥିବା ବେଳେ ବନ୍ଦରର ମୁଖ୍ୟ ମେକାନିକାଲ ଇଂଜିନିୟର୍‌ ସରୋଜ ଏହାକୁ ଏକ ମୌକା ବୋଲି ଭାବି ନେଇଥିଲେ। ଠିକାଦାରଙ୍କୁ ମଧ୍ୟସ୍ଥି କରି ସେ ସଂପୃକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଏହାକୁ ବନ୍ଦରର କ୍ଷତି ବୋଲି ଦର୍ଶାଇ ସେ ବନ୍ଦର ରକ୍ଷଣା‌ବେକ୍ଷଣ ଟଙ୍କାରେ ଏହାର ମରାମତି କରିଦେବେ ଓ ଏଥିପାଇଁ ସଂପୃକ୍ତ କଟକସ୍ଥିତ ସଂସ୍ଥାଠାରୁ ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏହି ଯୋଜନାରେ ସଂପୃକ୍ତ ସଂସ୍ଥା ରାଜି ହୋଇଯାଇଥିଲା ଓ ଲାଞ୍ଚ କାରବାର ମଧ୍ୟ ହୋଇଥିଲା। ତେବେ ନୂଆଦିଲ୍ଲୀ ସିବିଆଇ ନିକଟରେ ଏ ଅଭିଯୋଗ ପହଞ୍ଚିବା ପରେ ବୁଧବାର ବିଳମ୍ବିତ ରାତିରେ ଚଢ଼ଉ ହୋଇଥିଲା। ଦିଲ୍ଲୀ ଓ ଭୁବନେଶ୍ବର ସିବିଆଇର ୬ଟି ଟିମ୍‌ ମହିମାଙ୍କ ଘର ସମେତ ଓଏସଏଲ ଅଫିସ୍‌, କଟକ, ପାରାଦୀପ, ଭୁବନେଶ୍ୱର, ଜଗତ୍‌ସିଂହପୁରର ୧୫ଟି ସ୍ଥାନରେ ଚଢ଼ଉ କରି ୪୧ଲକ୍ଷ ଟଙ୍କା ଜବତ କରିଥିଲା। ସେହିପରି ସରୋଜଙ୍କ ଘରୁ ସାଢ଼େ ୪୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପାରାଦୀପରେ ଚଢ଼ଉ ବେଳେ ୫ ଲକ୍ଷ ନଗଦ ଟଙ୍କା, ପରେ ଦୁଇଟି ପର୍ଯ୍ୟାୟରେ ୧୮ଲକ୍ଷ ୩୦ହଜାର ଓ ୨୫ ଲକ୍ଷ ୨୫ହଜାର ଟଙ୍କା ଜବତ କରିଥିଲା। ଏହାଛଡ଼ା ସରୋଜଙ୍କ ଘରୁ ଅନେକ ଗହଣା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ସିବିଆଇ ଜବତ କରିଛି।

ସମ୍ବନ୍ଧିତ ଖବର