ଚାକିରି ଦେବା ଆଳରେ ୪କୋଟି ଠକେଇ

ଦଲାଲ ସମେତ ୩ ଗିରଫ

ଚନ୍ଦ୍ରଶେଖରପୁର: ବିଏମ୍‌ସି, ବିଏସ୍‌ଏନଏଲ୍‌, ରେଳବାଇରେ ଚାକିରି କରାଇଦେବାକୁ କହି ରାଜ୍ୟର ପ୍ରାୟ ୪୭୦ଜଣ ବେକାର ଯୁବକଯୁବତୀଙ୍କଠାରୁ ୪ କୋଟିରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ୩ ଧୂର୍ତ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ବାଲେଶ୍ୱର ଖରିଡ଼ା ଥାନା ଅଞ୍ଚଳର ସୁବାସ ନାୟକ ଓ ତା’ର ଦୁଇ ସହଯୋଗୀ ଯାଜପୁର ଟାଉନ୍‌ର ରାଜକିଶୋର ମହାରଣା ଓ ଜ୍ଞାନ ପ୍ରସାଦ ବିଶ୍ୱାଳ। ପୁଲିସ ଏମାନଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନରୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ସୁବାସ ନୀଳାଦ୍ରିବିହାର ଅଞ୍ଚଳରେ ବୁଲୁଥିବା ଦେଖି ଠକାମିର ଶିକାର ହୋଇଥିବା ଯୁବକମାନେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ପଚରାଉଚରା କରି ରାଜକିଶୋର ଓ ଜ୍ଞାନପ୍ରସାଦକୁ ଆଜି ଗିରଫ କରିଥିଲା। ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଏହି ଠକେଇ ପଛରେ ଆଉ କେଉଁକେଉଁମାନେ ସାମିଲ ଅଛନ୍ତି, ପୁଲିସ ସେ ନେଇ ଅଧିକ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଏହି ୩ ଅଭିଯୁକ୍ତ ଭୁବନେଶ୍ୱରରେ ସ୍ମାର୍ଟ କୁଇକର୍ସ ସଲ୍ୟୁସନ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଖୋଲିଥିଲେ। ବେକାରି ଯୁବକ ଯୁବତୀମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବାକୁ କହି ଏମାନେ ବେକାରି ନିଜ ଜାଲରେ ଫସାଉଥିଲେ। ପର୍ଯ୍ୟାୟକ୍ରମେ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଚାକିରି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏପରିକି ଯୁବକଯୁବତୀମାନଙ୍କ ଭରସା ଜିତିବା ପାଇଁ ସେମାନେ କିଛି ନକଲି ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହିପରି ଭାବେ ରାଜ୍ୟର ପାଖାପାଖି ୪୭୦ ଜଣ ଯୁବକ ଯୁବତୀଙ୍କଠାରୁ ୪ କୋଟିରୁ ଊର୍ଧ୍ୱ ଟଙ୍କା ଠକେଇ କରିବା ପରେ ସେମାନେ ସଂସ୍ଥା ବନ୍ଦ କରି ଫେରାର୍‌ ହୋଇଯାଇଥିଲେ। ସେମାନଙ୍କ ମୋବାଇଲ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା। ଏ ସଂପର୍କ‌ରେ ଜଣାପଡ଼ିବା ପରେ ଠକେଇର ଶିକାର ହୋଇଥିବା ଯୁବକଯୁବତୀମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ୩ ଅଭିଯୁକ୍ତ ସେବେଠାରୁ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର