୭ ମହଲା ବିଶିଷ୍ଟ କୋଠାରୁ ଆତ୍ମହତ୍ୟା ପାଇଁ ଡେଇଁପଡ଼ିଲେ ପରିବାରର ୫ଜଣ ସଦସ୍ୟ: ୪ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟ ୭ ମହଲା ବିଶିଷ୍ଟ ଉଚ୍ଚ କୋଠାରୁ ଡେଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ‌ଲେଖାହେଲା ପର୍ଯ୍ୟନ୍ତ ୫ଜଣ ସଦସ୍ୟଙ୍କ ଆତ୍ମହତ୍ୟାର କାରଣ ସ୍ପ‌ଷ୍ଟ ‌ହୋଇପାରି ନଥିଲା।

ସୂଚନାଯୋଗ୍ୟ, ଉକ୍ତ ପରିବାରରେ ୪୦ ବର୍ଷର ଦୁଇଜଣ ପ୍ରାପ୍ତ ବୟସ୍କ, ଦୁଇ ଜଣ ଶିଶୁ ଓ ବୁଢ଼ିମା ରହୁଥିଲେ। ମୃ୍ତକଙ୍କ ପଡ଼ିଶାରେ ରହୁଥିବା ଲୋକଙ୍କ କହିବାନୁସାରେ, ଗୁରୁବାର ସକାଳେ ହଠାତ ଏକ ଶବ୍ଦ ହୋଇଥିଲା। କ’ଣ ଶବ୍ଦ ହେଲା ବୋଲି ବାହାରକୁ ସେମାନେ ଦୌଡ଼ି ଯାଇଥିଲେ। ଏହି ସମୟରେ ସେମାନେ କୋଠା ତଳେ ତାଙ୍କ ପଡ଼ିଶାଘରର ୫ଜଣ ସଦସ୍ୟଙ୍କୁ  ଲହୁଲୁହାଣ ଅବସ୍ଥାରେ  ପଡ଼ିଥିବା ଦେଖିବାକୁ ପାଇଥିଲେ।  ପଡ଼ିଶାଘରର ଏଭଳି ଅବସ୍ଥା ଦେଖି ପ୍ରଥମେ ସେମାନେ  ଭୟଭୀତ ହୋଇଯାଇଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ।

ଏହାପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଗୁରୁତର ଆହତ ଥିବା ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟରେ ଧୀରେଧୀ‌ରେ ଉନ୍ନତି ହେଉଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।  ସ୍ୱିଜରଲ୍ୟାଣ୍ଡ ପୁଲିସ ଘଟଣାର ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର