ବିଦେଶରେ ବେପାର ନାଁରେ ୩୦ ଲକ୍ଷ ଚଳୁ : ୪ ଡିଜିଟାଲ୍‌ ଠକ ଗିରଫ

ଖଣ୍ଡଗିରି : ସୋମବାର ଖଣ୍ଡଗିରି ଥାନା ପୁଲିସ ୪ ଜଣ ଅଣଓଡ଼ିଆ ଠକଙ୍କୁ ଗିରଫ କରିଛି। ଡିଜିଟାଲ ବେପାର ନାଁ ରେ ପ୍ରାୟ ୩୦ ଲକ୍ଷ ଟଙ୍କା ଚଳୁ କରିବା ପରେ ସମସ୍ତେ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ତାମିଲ୍‌ନାଡ଼ୁ କୋଏମ୍ବାଟୁର୍‌ର ଗଣେଶନ୍‌ ଏସ୍‌କେ, ନବୀନ୍‌ ଏସ୍‌ କେ, ବେଙ୍ଗାଲୁର୍‌ର ନରେନ୍‌ ଏନ୍‌ ଓ ଗୁଜୁରାଟ ଭଦୋଦରାର ଜୟଦୀପ ପ୍ରକାଶ କୁଲକର୍ଣ୍ଣୀ। ପୁଲିସ ଏମାନଙ୍କଠାରୁ ୪ଟି ଲାପଟପ୍‌, ପାସ୍‌ପୋର୍ଟ, ୫.୨୫ ଲକ୍ଷ ଟଙ୍କାର ଏକ ଚେକ୍‌ ଓ ୯୯୭୫ ଡଲାର ଜବତ କରିଛି। ସ୍ଥାନୀୟ ଖାରବେଳ ହୋଟେଲରେ ଏମାନେ କିଛି ଯୁବକଙ୍କୁ ବିଦେଶରେ ବେପାର ବାବଦରେ ବୁଝାଇ ଫସାଇବାକୁ ବସିଥିବାବେଳେ ପୁଲିସ ସେଠାରେ ଚଢ଼ଉ କରି ଗିରଫ କରିଛି।

ସୂଚନାନୁସାରେ ସ୍ଥାନୀୟ କସ୍‌ମୋପଲିରେ ରହୁଥିବା କଟକ ମାଲଗୋଦାମ ଥାନା ଅଞ୍ଚଳର ଯୁବ ବ୍ୟବସାୟୀ ରାଜେଶ ପାତ୍ର ହଠାତ୍‌ ଦିନେ ହ୍ଵାଟସ୍‌ଆପ୍‌ରେ ଗଣେଶନ୍‌ ଏସ୍‌କେଙ୍କ ସହ ପରିଚିତ ହୋଇଥିଲେ। ଗଣେଶନ୍‌ ନିଜକୁ ଜଣେ ଡିଜିଟାଲ ବ୍ୟବସାୟୀ ବୋଲି କହି ବନ୍ଧୁତା ବଢ଼ାଇଥିଲା। ବିଦେଶ ବଜାରରେ ପୁଞ୍ଜି ଲଗାଇବା ବେପାର କରୁଛନ୍ତି ବୋଲି ସେ କହିଥିଲା। ରାଜେଶ ଏଭଳି ନୂଆ ବ୍ୟବସାୟ ବାବଦରେ ଜାଣିବାକୁ ଚାହିଁଥିଲେ। ଏହି ବେପାରରେ ମୂଳଧନ ମାତ୍ର ଗୋଟିଏ ମାସରେ ୨୦୦%ରୁ ଅଧିକ ବଢ଼ିଥାଏ ବୋଲି ଗଣେଶନ୍‌ ବୁଝାଇଥିଲା। କିନ୍ତୁ ଏଥିପାଇଁ ୩ ଜଣ କ୍ଲାଏଣ୍ଟ ଓ ଅତିକମ୍‌ରେ ୨୦ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡ଼ିଥାଏ ବୋଲି ଗଣେଶନ୍‌ କହିଥିଲା। ଅଧିକ ଜାଣିବା ପାଇଁ ରାଜେଶ ଗଣେଶନ୍‌ଙ୍କୁ ଭୁବନେଶ୍ୱର ଡକାଇଥିଲେ। ଗତ ଫେବ୍ରୁଆରି ୨ ତାରିଖରେ ଗଣେଶନ୍‌ ଭୁବନେଶ୍ୱର ଆସିଥିଲେ ଓ ସ୍ଥାନୀୟ ବେଷ୍ଟ ଇନ୍‌ ହୋଟେଲ୍‌ରେ ରହିଥିଲେ। ରାଜେଶ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ। କିନ୍ତୁ ୩ ଜଣ କ୍ଲାଏଣ୍ଟ ଯୋଗାଡ଼ କରି ପାରି ନଥିଲେ। ତେବେ ଗଣେଶନ୍‌ ପୁଣି ବିଭିନ୍ନ ବାହାନା କରି ୧୬ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ରହିଥିଲେ। ଏ ଭିତରେ ରାଜେଶଙ୍କୁ ସେ ଉକ୍ତ ବିଦେଶୀ ବେପାର ସହ ସାନିଟାରି ବେପାରରେ ସାମିଲ୍‌ ହେବାକୁ ପ୍ରସ୍ତାବ ଦେଇଥିଲେ। ଏସବୁ କାରବାର ଡଲାରରେ ହେଉଥିବାରୁ ଗଣେଶନ୍‌ କଥାରେ ରାଜେଶ ୧୭ ଲକ୍ଷ ଟଙ୍କାକୁ ଡଲାରରେ ପରିଣତ କରିବା ସହ ‘ବ୍ରୋକ୍‌ କ୍ୟାପ୍‌ ଏକ୍‌ସଏମ୍‌’ ନାମକ ଏକ ଆକାଉଣ୍ଟରେ ଜମା କରିଥିଲେ। ପରଦିନ ହଠାତ୍‌ ଗଣେଶନ୍‌ ନିଜର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା କହି କୋଏମ୍ବାଟୁର୍‌ ଚାଲି ଯାଇଥିଲେ। ପରେ ରାଜେଶ ଦେଖିଲେ ଯେ ସେ ଜମା କରିଥିବା ଆକାଉଣ୍ଟ ଗାଏବ୍‌ ହୋଇଯାଇଛି। ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଗଣେଶନ୍‌ ଓ ତାଙ୍କ ଗ୍ୟାଙ୍ଗ୍‌ ପୁଣି ରାଜଧାନୀରେ ଡେରା ପକାଇଥିବା ନେଇ ପୁଲିସକୁ ସୁରାକ୍‌ ମିଳିଥିଲା। ଆଜି କିଛି କ୍ଲାଏଣ୍ଟଙ୍କୁ ନେଇ ଉକ୍ତ ଗ୍ୟାଙ୍ଗ୍‌ ବେପାର ଆରମ୍ଭ କରିଥିବାବେଳେ ପୁଲିସ ସେମାନଙ୍କୁ ଠାବ କରିଥିଲା। ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ ରାଜେଶଙ୍କ ଭଳି ଅନ୍ୟ ଜଣେ ଯୁବକଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକି ନେଇଛି।

ସମ୍ବନ୍ଧିତ ଖବର