୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

୮୮ହଜାର ଟଙ୍କା ଓ ବାଇକ୍‌ ଜବତ

ଭୁବନେଶ୍ୱର: ନୂଆପଲ୍ଲୀ ଓ ମଞ୍ଚେଶ୍ୱର ଥାନା ପୁଲିସ ସହାୟତା‌ରେ କ୍ୟୁଏଟି ଟିମ୍‌ ଆଜି କାନନ ବିହାର ଓ ଭୋଇସାହି ଅଞ୍ଚଳରୁ ୨ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ମଞ୍ଚେଶ୍ବର ଥାନା କଳାରାହଙ୍ଗ ଅଞ୍ଚଳର କୃଷ୍ଣଚନ୍ଦ୍ର ନାଥ(୨୪) ଓ ନୂଆପଲ୍ଲୀ ଭୋଇସାହି ଅଞ୍ଚଳର ସନ୍ତୋଷ ବାରିକ(୩୪)। ପୁଲିସ ସେମାନଙ୍କଠାରୁ ମୋଟ ୩୯ ଗ୍ରାମ ବ୍ରାଉନ୍‌ସୁଗାର, ନଗଦ ୮୮ ହଜାର ଟଙ୍କା ଓ ଗୋଟିଏ ବୁଲେଟ୍‌ ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ଆନ୍ତର୍ଜାତିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ କୃଷ୍ଣଚନ୍ଦ୍ର ଓ ସନ୍ତୋଷ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନକୁ ଯୋଗାଉଥିଲା। ଏନେଇ ପୂର୍ବରୁ କ୍ୟୁଏଟି ଟିମ୍‌ ନିକଟରେ ଖବର ଥିଲା। ଗୁରୁବାର ସନ୍ଧ୍ୟାରେ କୃଷ୍ଣଚନ୍ଦ୍ର କାନନବିହାର ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ ମେସ୍‌ର ଜଣେ ଛାତ୍ରଙ୍କୁ ବ୍ରାଉନସୁଗାର ଦେବା ପାଇଁ ଯାଉଥିବା କ୍ୟୁଏଟି ଖବର ପାଇବା ପରେ ମଞ୍ଚେଶ୍ବର ଥାନାକୁ ଜଣାଇଥିଲା। କ୍ୟୁଏଟି ସହାୟତାରେ ମଞ୍ଚେଶ୍ୱର ପୁଲିସ ସେଠାରେ ଚଢ଼ଉ କରି କୃଷ୍ଣଚନ୍ଦ୍ରକୁ ଗିରଫ କରିବା ସହ ତା’ଠାରୁ ୨୮ଗ୍ରାମ ବ୍ରାଉନ୍‌ସୁଗାର, ୮୮ହଜାର ଟଙ୍କା ଓ ବୁଲେଟ୍ ଜବତ କରିଥିଲେ। ସେହିପରି କ୍ୟୁଏଟି ସହାୟତାରେ ନୂଆପଲ୍ଲୀ ଥାନା ପୁଲିସ ସନ୍ତୋଷର ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ତା’ ନିକଟରୁ ପୁଲିସ ୧୧ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ପୁଲିସ ଉଭୟଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା ଚଳାଇଛି। ଏହାସହ ସେମାନଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧିତ ଖବର