ଭୁବନେଶ୍ବର: ଗତ କିଛିଦିନ ହେବ ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍‌ କରି କମିସନରେଟ୍‌ ପୁଲିସକୁ ନାକେଦମ କରିଥିବା ଏକ ଗ୍ୟାଙ୍ଗକୁ ସହିଦନଗର ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୨ ନାବାଳକ ସମେତ ୪ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୩ଟି ବାଇାକ୍‌ ଓ ୧୫ଟି ବାଇକ୍‌ ଜବତ ହୋଇଛି। ସେମାନେ ହେଲେ, ବାଣୀବିହାର ଅଞ୍ଚଳର କୁନା ନାୟକ(୨୨) ଓ ପଥରବନ୍ଧ ବସ୍ତିର ମିଟୁ ନାୟକ(୧୯)। ପୁଲିସ ସୂଚନା ମୁତାବକ, ଗତ କିଛିମାସ ହେବ କୁନା, ମିଟୁ ଓ କିଛି ନାବାଳକ ମିଶି ଏକ ଗ୍ୟାଙ୍ଗ କରିଥିଲେ। ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ, ମଲ୍‌, ରାଜପଥ, ବିଭିନ୍ନ କଲୋନି ଓ ଅନ୍ଧାରିଆ ସ୍ଥାନକୁ ଟାର୍ଗେଟ୍‌ କରିଥିଲେ। ବିଶେଷକରି ଲୁଟ୍‌ପାଟ୍‌ ପାଇଁ ସନ୍ଧ୍ୟାରୁ ଅପରେସନ୍‌ ଆରମ୍ଭ କରୁଥିଲେ। ଭାଗ ଭାଗ ହୋଇ ବିଭିନ୍ନ ସ୍ଥାନକୁ ଯାଇ ଲୁଟ୍‌ ପାଇଁ ସୁଯୋଗ ଖୋଜୁଥିଲେ। ଏକୁଟିଆ ଓ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟୁଥିଲେ। ସେହିପରି ମଲ୍, ଶିକ୍ଷାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ। ଏଭଳି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଲୁଟ୍‌ପାଟ୍ କରି ପୁଲିସର ନିଦ ହଜାଇଥିଲା ଏହି ଗ୍ୟା‌ଙ୍ଗ। ତେବେ ୩୦ ତାରିଖ ପୂର୍ବାହ୍ଣ ୧୧ଟାରେ ମାଳତି ମୁର୍ମୁ ନାମକ ଜଣେ ଛାତ୍ରୀ କୋଚିଂ ପାଇଁ ଆଚାର୍ଯ୍ୟ ବିହାର ଯାଉଥିଲେ। ଏହି ସମୟରେ କୁନା ଓ ମିଟୁ ଏକ ବାଇକ୍‌‌‌‌ରେ ତାଙ୍କୁ ପିଛା କରିଥିଲେ। କୋଚିଂ ସେଣ୍ଟର ପୂର୍ବରୁ ଉଭୟ ଚତୁରତାର ସହ ତାଙ୍କ ‌ମୋବାଇଲ୍‌ ଝାମ୍ପି ନେଇଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ ଲୁଟେରାଦ୍ବୟଙ୍କୁ କେହି କାବୁ କରିପାରି ନଥିଲେ। ଉଭୟ ଆଖି ପିଛୁଳାକେ ସେଠାରୁ ଫେରାର୍‌ ହେବାରେ ସଫଳ ‌ହୋଇଥିଲେ। ଏନେଇ ଛାତ୍ରୀଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିଥିଲା। ତେବେ ଗୁରୁବାର ବିଳମ୍ବିତ ରାତିରେ ଏସ୍‌ଆଇ ପ୍ରଣବ ଟୁଡୁଙ୍କ ନେତୃତ୍ବରେ ଏକ ଟିମ୍‌ ଧିରିକୁଟି ବସ୍ତି ଓ ଭିଏସ୍‌ଏସ୍‌ ନଗରରେ ଚଢ଼ଉ କରି ପ୍ରଥମେ ୨ ନାବାଳକଙ୍କୁ ଗିରଫ କରିଥିଲା। ଏହାପରେ କୁନା ଓ ମିଟୁ ଘରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ପଚରାଉଚରା ପରେ ସେମାନେ ଚୋରି ମୋବାଇଲ୍‌ ଓ ବାଇକ୍‌ ରଖିଥିବା ମାନିଥିଲେ। ପୁଲିସ ସମସ୍ତ ଜିନିଷ ଜବତ ପରେ ଆଜି କୁନା ଓ ମିଟୁକୁ ‌କୋର୍ଟ ଚାଲାଣ କରିଛି। ସେହିପରି ନାବାଳକଦ୍ବୟଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି।