ଭରତପୁର ଓ ଲକ୍ଷ୍ମୀସାଗରରୁ ୪ ଲୁ‌ଟେରା ଗିରଫ

ଭୁବନେଶ୍ବର/ଖଣ୍ଡଗିରି : ଖଣ୍ଡଗିରି ଓ ସହିଦ୍‌ନଗର ପୁଲିସ ଯଥାକ୍ରମେ ଭରତପୁର ଓ ଲକ୍ଷ୍ମୀସାଗର ଅଂଚଳରୁ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଭରତପୁର ଅଞ୍ଚଳରେ ଛିନ୍‌ତାଇ କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୁଶାନ୍ତ ମହାନ୍ତି(୨୪) ଓ କାର୍ତ୍ତିକ ବେହେରା(୨୦)। ୨ ତାରିଖ ରାତିରେ ଅଟୋ ଚାଳକ ରାଜେଶ ରାଓ ଜିଏ କଲୋନିରୁ ଘରକୁ ଫେରୁଥିବା ବେଳେ ବାଟରେ ଅଭିଯୁକ୍ତଦ୍ବୟ ତାଙ୍କୁ ଅଟକାଇଥିଲେ। ରାଜେଶଙ୍କୁ ମାଡ଼ ମାରି ତାଙ୍କ ଅଟୋ ଚାବି ଓ ପକେଟ୍‌ରୁ ୫ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଅଭିଯୋଗ ପାଇବା ପ‌ରେ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି ଓ ସେମାନଙ୍କଠାରୁ ୨ ହଜାର ଟଙ୍କା ଜବତ କରିଛି।

ସେହିପରି ଅନ୍ୟ ଏକ ଘଟଣାରେ ଯୁବକଙ୍କୁ ମାଡ଼ ମାରି ମୋବାଇଲ ଫୋନ୍‌ ଓ ଟଙ୍କା ଛଡେଇ ନେବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିର ବସନ୍ତ ନାୟକ ଓ ପପୁ ନାୟକକୁ ଗିରଫ କରିଛି। ସେମାନଙ୍କ ଠାରୁ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗତ ରାତିରେ ସହିଦନଗର ଥାନା ଅଞ୍ଚଳରେ ରହୁଥିବା କେନ୍ଦୁଝରର ଜଗନ୍ନାଥ ବାରିକ୍‌ ନାମକ ଯୁବକଙ୍କୁ ଉଭୟ ମାଡ଼ମାରି ଟଙ୍କା ଓ ଫୋନ୍‌ ନେଇ ପଳାଉଥିଲେ। ସେ ହଲ୍ଲା ପକାଇବାରୁ ସ୍ଥାନୀୟ ଯୁବକ ଉଭୟଙ୍କୁ ମାଡ଼ି ବସିଥିଲେ। ଉଭୟଙ୍କୁ ପିଟିବା ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର