ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ ଠାବ

୪ ଲୁଟେରା ଗିରଫ; ୧୦ ମୋବାଇଲ୍‌ ଓ କାର୍‌ ଜବତ

ଭୁବନେଶ୍ୱର : ସହିଦନଗର ଥାନା ପୁଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ୪ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ କାର୍‌ ଜବତ କରିଛି। ସେମାନେ ହେଲେ ବାଲିଅନ୍ତା ଅଞ୍ଚଳର ଆକାଶ ଭୋଇ(୧୯) ଓ ସଞ୍ଜୟ ଭୋଇ(୧୮), ବାଙ୍କୁଆଳ ଅଞ୍ଚଳର ମକର ବେହେରା(୧୯) ଓ ରାଜେଶ ଭୋଇ(୧୯)।

ପୁଲିସ ସୂଚନା ମୁତାବକ, ଗତ ୨୩ ତାରିଖ ରାତିରେ ସୁଜିତ ଲାଗୁରି ନାମକ ଜଣେ ଯୁବକ ପାଣ୍ଟାଲୁନ୍‌ ନିକଟରେ ଯାଉଥିବା ସମୟରେ ଆକାଶ ଓ ସଞ୍ଜୟ ତାଙ୍କୁ ବାଇକ୍‌ରେ ପିଛା କରିଥିଲେ। ସୁଜିତ କିଛିବାଟ ଆଗକୁ ଯିବା ପରେ ଆକାଶ ସୁଜିତଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ସୁଜିତ ତଳେ ପଡ଼ିଯିବା ପରେ ଆକାଶ ଓ ସଞ୍ଜୟ ସୁଜିତଙ୍କ ପକେଟ୍‌ରୁ ମୋବାଇଲ୍‌ ନେଇ ଫେରାର୍‌ ହୋଇଯାଇଥିଲେ। ଏ ନେଇ ସୁଜିତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସୁଜିତଙ୍କ ମୋବାଇଲ୍‌ ନମ୍ବର ଟ୍ରାକିଂ କରି ପୁଲିସ ଆକାଶର ଠିକଣା ଠାବ କରିଥିଲା। ରବିବାର ସନ୍ଧ୍ୟାରେ ପୁଲିସ ପୁଲିସ ଆକାଶକୁ ଗିରଫ କରି ଗୋଟିଏ ମୋବାଇଲ୍‌ ଜବତ କରିଥିଲା। ଏହାପରେ ଆକାଶକୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ଏବଂ ତାର ସହଯୋଗୀ ସଞ୍ଜୟ, ମକର ଓ ରାଜେଶ ବିଭିନ୍ନ ସ୍ଥାନରୁ ମୋବାଇଲ୍‌ ଲୁଟ୍‌ପାଟ୍‌ କରିଥିବା ମାନି ଯାଇଥିଲା। ଏହାପରେ ପୁଲିସ ସଞ୍ଜୟ, ମକର ଓ ରାଜେଶର ଠିକଣା ଠାବ କରି ସେଠାରୁ ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର