ଖଣ୍ଡଗିରି: ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ୪ ଜଣ କୁଖ୍ୟାତ ଡକାୟତଙ୍କୁ କୋର୍ଟଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ, ସ୍ଥାନୀୟ ଯଦୁପୁର ଅଞ୍ଚଳର ମୀର୍ ଆସିକ୍‌(୨୭), ଡୁମୁଡୁମା ସୁବାସନଗରରେ ରହୁଥିବା ଗଞ୍ଜାମର ସୁକାନ୍ତ ମହାରଣା(୨୩), କ୍ୟାପିଟାଲ ହସ୍ପିଟାଲ ପଛ ବସ୍ତିରେ ରହୁଥିବା ଭଞ୍ଜନଗରର ଚିତ୍ତରଂଜନ ଦଳେଇ(୨୪) ଓ ସେହି ବସ୍ତିରେ ରହୁଥିବା ନୟାଗଡ଼ ଇଟାମାଟିର ସର୍ବେଶ୍ବର ଗୋଚ୍ଛାୟତ(୧୯)। ଏମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ହେଉଛି ମୀର୍ ଆସିକ୍‌। ଚିତ୍ତ ମଧ୍ୟ ଜଣେ କୁଖ୍ୟାତ ଡକାୟତ। ତା’ ନାଁରେ କ୍ୟାପିଟାଲ ଥାନାରେ ଲୁଟ୍ ମାମଲା ରହିଛି। ପୁଲିସ ସୂଚନାନୁସାରେ ଗୁରୁବାର ରାତି ପ୍ରାୟ ୧୨ଟା ପରେ ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରି ଆଇଗିଣିଆ ଏମ୍‌ସ ନଗର ନିକଟ ଏସ୍‌ବିଆଇ କଲୋନିରେ ଡକାୟତି କରିବାକୁ ଯୋଜନା କରି ପଶିଥିଲେ। ସେମାନେ ପୂର୍ବରୁ ଜଗନ୍ନାଥ ନାୟକଙ୍କ ଘରକୁ ଟାର୍ଗେଟ୍‌ କରିଥିଲେ। କବାଟ ଭାଙ୍ଗି ଘର ଭିତରେ ପଶି ଯାଇଥିଲେ। କିନ୍ତୁ ସେତେବେଳକୁ ଜଗନ୍ନାଥଙ୍କ ପରିବାରର ସମସ୍ତେ ଶୋଇନଥିଲେ। ତେଣୁ ଡକାୟତଙ୍କୁ ଘର ଭିତରେ ପଶିଯିବାର ଦେଖି ସେମାନେ ଉଠି ପଡ଼ି ମିଳିତ ଭାବେ ପ୍ରତିରୋଧ କରିଥିଲେ। ସେମାନଙ୍କ ପାଟି ଶୁଣି ପାଖ ପଡ଼ୋଶୀମାନେ ଉଠି ପଡ଼ିଥିଲେ ଓ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କଲୋନି ଲୋକେ ଏକାଠି ହୋଇଯିବା ଦେଖି ଆସିକ୍‌କୁ ଛାଡ଼ି ଅନ୍ୟମାନେ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ରହି ଯାଇଥିଲା ଆସିକ୍। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚିଥିଲା ଓ ଆସିକ୍‌କୁ ଥାନାକୁ ନିଆଯାଇଥିଲା। ପରେ ତା’ ସୂଚନାକୁ ଆଧାର କରି ପୁଲିସ ଅନ୍ୟମାନଙ୍କୁ ରାତାରାତି ଉଠାଇଥିଲା।