ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

ଖୋର୍ଧା : ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଧା ଟାଉନ୍‌ ଥାନା ଅନ୍ତର୍ଗତ ଗଡ଼ଖୋର୍ଧା ହାଉସିଂବୋର୍ଡର୍ କଲୋନିରେ କିଛି ଯୁବକ ଡକାୟତି ଯୋଜନା ଚଳାଇଥିବା ବେଳେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍‌, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି, ଗୋଟିଏ କଟୁରି, ୨ଟି ଟ୍ୟାବ ଏବଂ ୩ଟି ମୋବାଇଲ୍‌ ସହ ୩ଟି ବାଇକ୍‌(ଓଡି-୦୨ଏକ୍ୟୁ-୯୮୬୧, ଓଡିି-୦୨ଡବ୍ଲୁ-୮୦୫୭, ଓଡିି-୦୨ଏଟି-୫୬୭୬) ଓ ୨ଟି ଜାଲ୍‌ ନମ୍ବର ପ୍ଲେଟ୍‌ ଜବତ ହୋଇଛି।
ଖୋର୍ଧା ଟାଉନ ଥାନାଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଧା ଏସ୍‌ପି ଦୀପ୍ତିରଞ୍ଜନ ରାୟ ଦେଇଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରେ ଖୋର୍ଧା ଟାଉନ ଥାନା ଏସ୍‌ଆଇ ବ୍ରହ୍ମାନନ୍ଦ ସ୍ୱାଇଁ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଗଡ଼ ଖୋର୍ଧା ହାଉସିଂ ବୋର୍ଡର ଏକ ଘରେ କିଛି ଯୁବକ ଡକାୟତି ଯୋଜନା ଚଳାଇଥିବା ଖବର ମିଳିଥିଲା। ଉକ୍ତ ଘର ଉପରେ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ଉ ହୋଇଥିଲା। ଗିରଫ ଯୁବକମାନେ ହେଲେ ବେଗୁନିଆ ଥାନା ଗୋଡ଼ାର ପିଣ୍ଟୁ ମାଝି ଓରଫ ନୀଳାମ୍ବର ଉଦୟସିଂ(୨୦), ଗୋଡ଼ା ସାମନ୍ତରାପୁରର ବିଶ୍ୱରଂଜନ ସାମନ୍ତସିଂହାର(୨୦), ଦେଉଳି ଜାମୁସାହିର ଅନୀଲ ମାର୍ଥା(୨୩) ଏବଂ ସଦର ଥାନା ଗଡ଼ ଗୁଡୁମର ଖେତୁ ଓରଫ ଯାମିନୀକାନ୍ତ ସୁନ୍ଦରାୟ(୩୭)। ଉଲ୍ଲେଖଯୋଗ୍ୟ, ଫାଇନାନ୍ସ କଂପାନି ଟଙ୍କା ନେଇ ଯାଉଥିବା ମ୍ୟାନେଜରଙ୍କୁ ନିଶାଣ କରୁଥିବା ଅଭିଯୁକ୍ତ ପିଣ୍ଟୁ ନାମରେ ଆଗରୁ ସଦର, ଜଙ୍କିଆ, ବେଗୁନିଆ ଏବଂ ନିରାକାରପୁର ଥାନାରେ ୧୨ଟି ମାମଲା ରହିଛି।

ଦୋକାନରୁ ଲୁଟ୍‌କରି ୨ ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ଜଣେ ବ୍ୟବସାୟୀଙ୍କୁ ମାଡ଼ମାରି ତାଙ୍କ ଦୋକାନରୁ ବିଭିନ୍ନ ପ୍ରକାର ଜିନିଷପତ୍ର ଲୁଟ୍‌କରି ଫେରାର ହୋଇଯାଇଥିବା ଦୁଇ ଲୁଟେରାଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗାଡ଼କଣର ସର୍ଯ୍ୟନାରାୟଣ ପ୍ରଧାନ(୨୫) ଓ ପ୍ରଶାନ୍ତିବିହରର ଦିବ୍ୟଜ୍ୟୋତି ପଣ୍ଡା। କୌଣସି ଏକ କାରଣରୁ ଯୁବକ ଦୁହେଁ ଶୁକ୍ରବାର ମଧ୍ୟାହ୍ନରେ ଅଜୟ କୁମାର ସାହୁଙ୍କ ଦୋକାନକୁ ଯାଇ ସେଠାରେ ଗଣ୍ଡଗୋଳ କରିଥିଲେ। ପରେ ସେମାନେ ଅଜୟଙ୍କୁ ମାଡ଼ମାରି ତାଙ୍କ ଦୋକାନରୁ ବିଭିନ୍ନ ପ୍ରକାର ଜିନିଷ ଓ କିଛି ଟଙ୍କା କ୍ୟାସ୍‌ ବାକ୍ସରୁ ନେଇ ପଳାଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ୍‌ ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

୨ଲୁଟେରା ଗିରଫ, ମୋବାଇଲ୍‌ ଜବତ
ଭୁବନେଶ୍ୱର : କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଥିବା ଏକ କାର୍‌ କାଚ ଭାଙ୍ଗି ଲୁଟ୍‌ପାଟ କରି ଫେରାର୍‌ ଥିବା ଦୁଇ ଲୁଟେରାକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ୟୁନିଟ୍‌-୩ ମାଳିସାହି ମସ୍‌ଜିଦ୍‌ କଲୋନି ଅଞ୍ଚଳର ସେକ୍‌ ସଦାମହୁସେନ୍‌(୧୯) ଓ ସେକ୍‌ ସାଜିଭ ଉଦ୍ଦିନ(୧୯)। ଏପ୍ରିଲ୍‌ ୨୫ ତାରିଖରେ ଶୁଭମ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍‌ ନିକଟରେ କାର ରଖି ଷ୍ଟେସନ୍‌ ଭିତରକୁ ଯାଇଥିଲେ। ତେବେ ସେ ଫେରିବା ବେଳକୁ ସଦାମହୁସେନ୍‌ ଓ ସାଜିଭ ତାଙ୍କ କାର କାଚଭାଙ୍ଗି ପର୍ସ ଓ ୩ଟି ମୋବାଇଲ୍‌ ନେଇଯାଇଥିଲେ। ଏନେଇ ଶୁଭମ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ମୋବାଇଲ୍‌ ଟ୍ରାକିଂରୁ ପୁଲିସ ଉଭୟଙ୍କ ଠିକଣା ଠାବ କରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଉଭୟଙ୍କ ଘରେ ଚଢ଼ଉ କରି ଗିରଫ କରିବା ସହ ୨ଟି ମୋବାଇଲ୍‌ ଜବତ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର