୪୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ପୁଲିସର ବେଆଇନ ମଦ ବିରୋଧୀ ଅଭିଯାନରେ ଆଜି ଟାଉନ୍ ଥାନା ପକ୍ଷରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏସ୍‌ଆଇ ଦିଗ୍‌ବିଜୟ ବିଶ୍ୱାଳ, ଓଏପିଏଫ୍ ରମେଶ ଚନ୍ଦ୍ର ପ୍ରଧାନ ଓ ରଂଜନ କୁମାର ପ୍ରଧାନ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ଭାବେ ଦେଶୀ ମଦ ଚାଲାଣ ହେଉଥିବା ସୂଚନା ପାଇଥିଲେ । ସୂଚନା ଆଧାରରେ ଖୋର୍ଦ୍ଧା ଉପକଣ୍ଠ ଗଡ଼ ଖୋର୍ଦ୍ଧା ନିକଟରେ ଛକି ରହିଥିଲେ । ଏହି ସମୟରେ ଜଣେ ଯୁବକ ଦୁଇଟି ପ୍ଲାଷ୍ଟିକ୍ ଜାର୍କିନ୍ ଧରି ଯାଉଥିବା ଦେଖି ଅଟକାଇଥିଲେ । ତେବେ ସେ ପୁଲିସକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିବା ବେଳେ ଧରାପଡ଼ିଥିଲା । ପଚରାଉଚୁରାରେ ସେ ଗଡ଼ ଖୋର୍ଦ୍ଧା ପରିଡ଼ା ସାହିର ବୃନ୍ଦାବନ ବିଶ୍ୱାଳ (୨୨) ବୋଲି ଜଣାପଡ଼ିଥିଲା । ବୃନ୍ଦାବନ ନିକଟରୁ ୪୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏହି ଘଟଣାରେ ଅବକାରୀ ଆଇନର ଦଫାରେ ୨୬୭/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଆଜି ସକାଳେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର