ଚା’ରେ ନିଶା ଦେଇ ଯୁବକଙ୍କ ୪୦ ହଜାର ଟଙ୍କା ଓ ମୋବାଇଲ୍‌ ‌ଲୁଟ୍‌

ଭୁବନେଶ୍ବର: ଜଣେ ଯୁବକଙ୍କୁ ଚା’ରେ ନିଶା ଦେଇ ୪୦ହଜାର ଟଙ୍କା, ମୋବାଇଲ୍‌ ଓ ବ୍ୟାଗ୍‌ ଲୁଟ୍‌ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଏନେଇ ଯାଜପୁର ଜିଲ୍ଲା ବରି ଅଞ୍ଚଳର ଅଜୟ ଜେନା ନାମକ ଯୁବକ ଥାନାରେ ଅଭିଯୋଗ କରିଛନ୍ତି। ଅଜୟ ବାଙ୍ଗାଲୋରରୁ ଆସି ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ତାଙ୍କୁ ବାହାରକୁ ଡ଼ାକି ଚା’ ପିଇବାକୁ ଦେଇଥିଲେ। ଅଜୟ ଚା’ ପିଇବାର କିଛି ସମୟ ପରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଜୟଙ୍କ ୪୦ ହଜାର ଟଙ୍କା, ମୋବାଇଲ୍ ଫୋନ୍‌ ଓ ବ୍ୟାଗ୍‌ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଶିଶୁଭବନ ଛକ ନିକଟ ଏକ ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ। ରବିବାର ସକାଳ ସମୟରେ ପାଟ୍ରୋଲିଂ କରୁଥିବା ଏକ ପିସିଆର୍‌ ଅଜୟଙ୍କୁ ରାସ୍ତାକଡ଼ରେ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଚେତା ଫେରିବା ପରେ ଅଜୟ ଥାନାକୁ ଆସି ଅଭିଯୋଗ କରିଥିଲେଃ ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର