ଗୋଟିଏ ଦିନରେ ୫ଜଣ ଭିଜିଲାନ୍ସ ଦ୍ୱାରା ଗିରଫ

କଟକ : ବିଭିନ୍ନସ୍ଥାନରେ ଗୋଟିଏ ଦିନରେ ଦୁର୍ନୀତିରେ ଲିପ୍ତ ଥିବା ୫ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଉକ୍ତ ସ୍ଥାନ ମାନଙ୍କରୁ ଲାଞ୍ଚ ଗ୍ରହଣ କରିଥିବା ଘଟଣାରେ ତହସିଲଦାର, ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ, କିରାଣୀ, ଗ୍ରାମ ରୋଜଗାର ସେବକ ଗିରଫ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମର ବେଲଗୁଣ୍ଠା ତହସିଲଦାର ପ୍ରଭାକର ପଣ୍ଡା ଓ ସହକାରୀ ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଡିଭିଜନ୍‌ ପକ୍ଷରୁ ଗିରଫ କରାଯାଇଛି। ଅଭିଯୁକ୍ତ ବୁଗୁଡ଼ା ଥାନା ନବରତ୍ନପୁରର ସୁଶାନ୍ତ କୁମାର ସାହୁଙ୍କଠୁ ତହସିଲଦାର ୧୫ହଜାର ଟଙ୍କା ଲାଞ୍ଚ ତାଙ୍କ ଅଫିସ୍‌କୁ ଆଣିବାକୁ କହିଥିଲାବେଳେ ତାଙ୍କ ଇଙ୍ଗିତରେ ରାଜସ୍ୱ ନିରୀକ୍ଷକ ଉକ୍ତ ଟଙ୍କାକୁ ଗ୍ରହଣ କରିଥିଲେ।
ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବେରୁଣବାଡ଼ି ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ନାୟକଙ୍କଠୁ ମଧ୍ୟାହ୍ନଭୋଜନ ରିପୋର୍ଟ ପ୍ରସ୍ତୁତ ବାବଦକୁ ୧ହଜାର ଟଙ୍କା ଲାଞ୍ଚ ଗ୍ରହଣ ଘଟଣାରେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ତ୍ରିନାଥ ପରିଡ଼ାଙ୍କୁ ଗିରଫ କରାଯାଇଛି। ପରେ ଗିରଫ ଅଭିଯୁକ୍ତଙ୍କ ବାଣପୁର କଲେଜ ରୋଡ୍‌ ସ୍ଥିତ ଘରକୁ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା ମିିଳିଛି।

ସମ୍ବଲପୁର ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଫୁଲ୍ଲ କୁମାର ସାହୁଙ୍କୁ ୪ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୋଗକାରୀ ଇକରାର୍‌ ହୁସେନ୍‌ ଓ ତାଙ୍କର ଦୁଇ ଭାଇଙ୍କ ମଧ୍ୟରେ ଜମିଜମା ମାମଲାକୁ ତହସିଲଦାରଙ୍କ କୋର୍ଟରେ ବିଚାର କରାଯାଇଥିଲା। ଏହାର ଫାଇଲ୍‌ ଗିରଫ କନିଷ୍ଠ କିରାଣୀଙ୍କ ପାଖରେ ରହିଥିଲା। ଫାଇଲ୍‌ ଆଗକୁ ବଢାଇବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲାବେଳେ ଅଭିଯୋଗକାରୀଙ୍କ ଅନୁରୋଧକ୍ରମେ ୪ହଜାର ନେବାକୁ ରାଜି ହୋଇଥିଲେ। ଟଙ୍କା ନେବାବେଳେ ଭିଜିଲାନ୍ସ ରେଡ୍‌ ହ୍ୟାଣ୍ଡରେ ତାଙ୍କୁ ଧରିଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ଅନ୍ତର୍ଗତ ଘର ନିର୍ମାଣ ବିଲ୍‌ ପାସ୍‌ କରାଇବାକୁ ପୁରୀ ଜିଲ୍ଲା ସତ୍ୟବାଦୀର ଗ୍ରାମ ରୋଜଗାର ସେବକ ପୁଷ୍ପାଞ୍ଜଳି ପ୍ରଧାନ ୧ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଦ୍ୱାରା ଧରାପଡ଼ିଛନ୍ତି। ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରୁଥିବା ବୁତୁଲିପଡ଼ାର ଶାନ୍ତନୁ କୁମାର ପ୍ରଧାନ ଅବାସ ଯୋଜନା ଅଧିନରେ ୫୦ହଜାର ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ। ଦୁଇଟି ପର୍ଯ୍ୟାୟରେ ବ୍ଲକ୍‌ରୁ ଉକ୍ତ ରାଶି ତାଙ୍କୁ ମିଳିବାର ଥିଲା। ଘର ନିର୍ମାଣ ପାଇଁ ସେ ୭ଜଣ ଶ୍ରମିକଙ୍କୁ ନିୟୋଜିତ କରିଥିଲାବେଳେ ୧୫୮୦୦ ଟଙ୍କା ପାଇବାକୁ ସେ ବିଲ୍‌ ଦେଇଥିଲେ। ହେଲେ ବିଲ୍‌ ପାସ୍‌ କରାଇବାକୁ ଅଭିଯୁକ୍ତ ଜଣକ ତାଙ୍କଠୁ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଅଭିଯୋଗକାରୀଙ୍କ ବାପା ଏଥିପାଇଁ ଅକ୍ଷମତା ଦେଖାଇବାରୁ ୧ହଜାର ଟଙ୍କା ପାଇଁ ସହମତି ହୋଇଥିଲା। ଆଜି ଉକ୍ତ ଟଙ୍କା ଗ୍ରହଣ କରୁଥିବା ଅବସ୍ଥାରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀମାନେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର