ଖଣ୍ଡଗିରି : ରେସ୍ତୋରାଁରେ ଯୁବକଙ୍କୁ ଖଣ୍ଡାଚୋଟ, ୫ ଅଟକ

ଖଣ୍ଡଗିରି : ବୁଧବାର ରାତିରେ ସ୍ଥାନୀୟ ବରମୁଣ୍ଡ-ଜାଗମରା ନୂଆ ସଡ଼କସ୍ଥିତ ଏକ ରେସ୍ତୋରାଁରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ଗୁରୁତର ଆହତ ଯୁବକ ହେଲେ, ଜାଗମରା ଉପରସାହିର ଅଭିଷେକ ଜେନା। ତାଙ୍କ ମୁଣ୍ଡ, କାନ୍ଧ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଓ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ଏହି ମାମଲାରେ ୫ ସଂଦିଗ୍ଧଙ୍କୁ ଅଟକ ରଖି ଛାନ୍‌ଭିନ୍ ଜାରି ରଖିଛି। ରେସ୍ତୋରାଁରେ ନାଚଗୀତ ଚାଲିଥିବା ବେଳେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାରୁ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି।

ସୂଚନାନୁସାରେ, କ୍ଲବ-୩୯ ନାମକ ଏହି ରେସ୍ତୋରାଁରେ ସାଙ୍ଗମାନଙ୍କ ସହ ଅଭିଷେକ ଖାଉଥିଲେ। ଡିଜେ ତାଳରେ କିଛି ଇଂଜିନିୟରିଂ ଛାତ୍ରଛାତ୍ରୀ ସେଠାରେ ନାଚଗୀତରେ ମସ୍‌ଗୁଲ ଥିଲେ। ଏତିକିବେଳେ ଅନ୍ଧାରୁଆର ଜଣେ ଯୁବକ କିଛି ଛାତ୍ରୀଙ୍କୁ କମେଣ୍ଟ କରିବାରୁ ଗଣ୍ଡଗୋଳ ଉପୁଜିଥିଲା। ଅଭିଷେକ ସ୍ଥାନୀୟ ଯୁବକ ହୋଇଥିବାରୁ ଗଣ୍ଡଗୋଳ ରୋକିବାକୁ ଯାଇ ଅନ୍ଧାରୁଆର ଉକ୍ତ ଯୁବକଙ୍କୁ ବାରଣ କରିଥିଲେ। କିନ୍ତୁ ଉକ୍ତ ଯୁବକଜଣକ ଫୋନ୍ କରି ତାଙ୍କ ସାଙ୍ଗମାନଙ୍କୁ ଡକାଇଥିଲେ। ମାତ୍ର ୧୦ ମିନିଟ୍ ଭିତରେ ଖଣ୍ଡା ଭୁଜାଲି ଭଳି ମାରଣାସ୍ତ୍ରରେ ସଜ୍ଜିତ ୭/୮ଜଣ ଯୁବକ ସେଠାରେ ପହଞ୍ଚି ଅଭିଷେକଙ୍କୁ ଆକ୍ରମଣ କରିଥିଲେ। ସେମାନେ ଗୋଡ଼ାଇ ଗୋଡ଼ାଇ ଅଭିଷେକଙ୍କୁ ହାଣି ପକାଉଥିବା ବେଳେ କେହି ସେମାନଙ୍କୁ ପ୍ରତିରୋଧ କରିନଥିଲେ। ରେସ୍ତୋରାଁର କର୍ମଚାରୀମାନେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ। ଅଭିଷେକ ଗୁରୁତର ହୋଇପଡ଼ିବା ଦେଖି ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖଣ୍ଡଗିରି ଥାନା ପୁଲିସ ରାତାରାତି ଘାଟିକିଆ, ଅନ୍ଧାରୁଆ ଓ ଭରତପୁରରେ ଚଢ଼ଉ କରି ୫ ଜଣଙ୍କୁ ଉଠାଇଥିଲା।

ସମ୍ବନ୍ଧିତ ଖବର