ଭୁବନେଶ୍ୱର : ଏନ୍କାଉଣ୍ଟର ପରେ ଝାରପଡ଼ା ଜେଲ୍ ହାଜତରେ ଥିବା କୁଖ୍ୟାତ ଅପରାଧୀ ରବି ରାଓର ଘନିଷ୍ଠ ସହଯୋଗୀ ରଘୁ ସମେତ ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ୍। ଆଜି ସକାଳେ ବାଙ୍କୁଆଳଠାରେ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ସ୍ପେସାଲ ସ୍କ୍ବାଡ୍ ସହାୟତାରେ ସହିଦନଗର ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନେ ହେଲେ, ଖାରବେଳ ନଗର ଶାନ୍ତିନଗରର ରଘୁ ବିଶ୍ବାଳ, ଶାନ୍ତିନଗରରେ ରହୁଥିବା ମିଦିନାପୁର ମୋଇନା ବସ୍ତି ଛକର ସେକ୍ ଅମିନ୍ ଓରଫ ତିୱାରୀ ଓ ମୋତିବୁଲ୍ଲା ଓରଫ ମୋତି, ଶାନ୍ତିନଗରରେ ରହୁଥିବା ପଶ୍ଚିମବଙ୍ଗ ହାୱଡ଼ା ମାଟିଆବୁର୍ଜର ଶିବୁ ଠାକୁର, ବେଗୁନିଆ ନୂଆସାହିର ପବିତ୍ର ମୋହନ ଦାସ ଓରଫ ସାନୁ। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ୫ ରାଉଣ୍ଡ ଗୁଳି, ଗୋଟିଏ ଖେଳଣା ପିସ୍ତଲ, ୫ଟି ମୋବାଇଲ, ଗୋଟିଏ କଟୁରି ଓ ଲଙ୍କାଗୁଣ୍ଡ ପ୍ୟାକେଟ୍ ଜବତ କରାଯାଇଛି। ସହିଦନଗର ପୁଲିସ ଏନେଇ ଥାନାରେ ଏକ ମାମଲା ରୁଜୁ କରିବା ସହ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ସେମାନଙ୍କୁ ପଚରାଉଚରା ବେଳେ ଏକ ସାଂଘାତିକ ଷଡ୍ଯନ୍ତ୍ର କଥା ପଦାକୁ ଆସିଛି। ଝାରପଡ଼ା ଜେଲ୍ରେ ରହୁଥିବା ରବି ରାଓକୁ ପୁଲିସ ହେପାଜତରୁ ଖସାଇ ନେବାକୁ ଏମାନେ ଦୀର୍ଘ ଦିନରୁ ଯୋଜନା କରିଥିଲେ। କୋର୍ଟରେ ହାଜର ହେବା ବେଳେ ପୁଲିସ ଆଖିକୁ ଲଙ୍କାଗୁଣ୍ଡ ପକାଇବା ସହ ଗୁଳି ଚଳାଇ ରବିକୁ ଛଡ଼ାଇ ନେବାକୁ ଯୋଜନା ଥିଲା ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ ହୋଇଛି। ରିମାଣ୍ଡରେ ଆସିଲେ, ଆହୁରି ଅଧିକ ତଥ୍ୟ ମିଳିବ ବୋଲି ପୁଲିସ କହିଛି।
ଆଜି ରବି କୋର୍ଟରେ ଉପସ୍ଥାପନ ହେବା ପାଇଁ ଯାଇଥା’ନ୍ତା। ଏ ବାବଦରେ ସେମାନେ ପୂର୍ବରୁ ତଥ୍ୟ ସଂଗ୍ରହ କରିଥିଲେ। ତେଣୁ ପୂର୍ବରୁ ସେମାନେ କୋର୍ଟ ସାମ୍ନା ଓ ବିଭିନ୍ନ ସ୍ଥାନର ଭିଡିଓ ରେକର୍ଡିଂ କରିଥିଲେ। କେଉଁ ବାଟ ଦେଇ ଭିତରକୁ ଯିବ, କେଉଁ ବାଟରେ ବାହାରିବ, କେଉଁ ରାସ୍ତା ଦେଇ କୋର୍ଟ ଆସିବ; ଏ ସବୁର ଭିଡିଓ କରିଥିଲେ। କାହାର କ’ଣ ଦାୟିତ୍ବ, ତାହା ମଧ୍ୟ ବାଣ୍ଟି ଦିଆଯାଇଥିଲା। ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଥିଲା, ଅପେକ୍ଷା ଥିଲା ସମୟକୁ। ହେଲେ ସ୍ପେସାଲ୍ ସ୍କ୍ବାଡ୍ ସେମାନଙ୍କ ଖେଳ ବିଗାଡ଼ିଦେଲା।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନଙ୍କ ମଧ୍ୟରେ ରଘୁ-ତିୱାରୀ ଯୋଡ଼ି ପୁଲିସର ୱାଣ୍ଟେଡ୍ ତାଲିକାରେ ରହିଥିଲେ। ଉଭୟଙ୍କ ନାମରେ ନନ୍ଦନକାନନ, ଇନ୍ଫୋସିଟି, ଚନ୍ଦ୍ରଶେଖରପୁର ଥାନାରେ ୭ଟି ବଡ଼ ବଡ଼ ଅପରାଧ ମାମଲା ରହିଛି। ଇନ୍ଫୋସିଟି ଥାନା ଅଧୀନରେ ଘଟିଥିବା ଦୁଇଟି ବଡ଼ ବଡ଼ ଡକାୟତି ମାମଲାରେ ଉଭୟ ସଂପୃକ୍ତ ଥିବା ପୁଲିସ ପାଖରେ ସ୍ବୀକାର କରିଛନ୍ତି। ବାହାର ଜିଲ୍ଲାରେ ମଧ୍ୟ ଏମାନଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି। ତେବେ ରବିକୁ ଏନ୍କାଉଣ୍ଟର ହେବା ପରେ ଏହି ଯୋଡ଼ି ଫେରାର୍ ହୋଇଯାଇଥିଲେ।