ସାଲିଆସାହିରୁ ପୁଣି ୫ ମଦଭାଟି ଠାବ: ୫ ଲକ୍ଷ ଟଙ୍କାର ପୋଚ, ରନ୍ଧାମଦ ଜବତ, ୫ ଗିରଫ

ଖଣ୍ଡଗିରି: ରାଜଧାନୀର ଦେଶୀମଦ ଶିଳ୍ପାଞ୍ଚଳ ପାଲଟିଛି ସାଲିଆସାହି। ଆଜି ପୁଣି ୫ଟି ମିନି ମଦଭାଟି ଠାବ କରାଯାଇଛି। ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସର ମିଳିତ ଚଢ଼ାଉରେ ଏହି ଭାଟିଗୁଡ଼ିକୁ ଜବତ କରାଯାଇଛି। ମଦ ରାନ୍ଧୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସାଲିଆସାହିର ନୀଳଚକ୍ରନଗର, ଘୁଷୁରି ସାହି ଓ ହାଟ ସାହିର ଆୟୁସୁନି ହେମ୍ବ୍ରମ(୩୦), ବାଇଧର ମୁର୍ମୁ(୪୨), ବିରଞ୍ଚି ନାୟକ(୫୪), ଆରସୁ ମାରାଣ୍ଡି(୪୦) ଓ ସରସ୍ବତୀ ହାଁସ୍‌ଦା(୫୦)। ଏମାନେ ସମସ୍ତେ ମୟୁରଭଞ୍ଜର ମୂଳବାସିନ୍ଦା। ଏମାନଙ୍କ ଭାଟିରୁ ୨୫ ହଜାର ଲିଟର ଗୁଡ଼ ପୋଚ, ଅଢ଼େଇ ହଜାର ଲିଟର ରନ୍ଧାମଦ ଓ ୩୨ଟି ବଡ଼ବଡ଼ ଡେକ୍‌ଚି ଜବତ କରାଯାଇଛି। ଏସବୁର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ଦଶହରା ପୂର୍ବରୁ ଅବକାରୀ ବିଭାଗ ସାଲିଆସାହିରେ ପର୍ଯ୍ୟାୟକ୍ରମେ ୫ ଥର ଚଢ଼ଉ କରିଥିଲା ଓ ପ୍ରାୟ ୨୫ରୁ ୩୦ଟି ମଦ ଭାଟି ଠାବ କରି ନଷ୍ଟ କରିଥିଲା। ଫଳରେ ସାଲିଆସାହିର ଏହି କୁଟୀର ଶିଳ୍ପ କିଛି ଦିନ ପାଇଁ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଦଶହରା ପରେ ପୁଣି ଧୀରେ ଧୀରେ ବେପାର ଆରମ୍ଭ ହୋଇ ଯାଇଥିଲା। ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ପୁଣି ସାଲିଆସାହି ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦେଇଥିଲେ। ନୀଳଚକ୍ରନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଖରେ ବସ୍ତି ଭିତରେ ଭାଟି ଚାଲିଛି ବୋଲି ଖବର ମିଳିଥିଲା। ନୂଆପଲ୍ଲୀ ଥାନା ପୁଲିସ ସହ କଟକ ଫ୍ଲାଇଂ ସ୍କ୍ବାଡ୍‌ ଡେପୁଟି ସୁପରିନଟେଣ୍ଡ‌େଣ୍ଟ ପିକେ ଦାସ, ଆଇଆଇସି ଶରତଚନ୍ଦ୍ର ଭଞ୍ଜ, ଭୁବନେଶ୍ବର ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍‌ଆଇ ହୃଦୟଚନ୍ଦ୍ର ସାମନ୍ତ, ସୁଜିତ୍ ମୁଦୁଲି ଓ ଅନ୍ୟ କର୍ମଚାରୀମାନେ ଆଜି ଚଢ଼ଉ କରିଥିଲେ। ଅଭିଯୁକ୍ତମାନେ ନିଜ ନିଜର ବାଡ଼ିପଟ ପାଇଖାନା ଓ ଗାଧୁଆ ଘରକୁ ଲାଗି ଏହି ସବୁ ଭାଟି କରିଥିଲେ। ଗୋଟିଏ ଗୋଟିଏ ଭାଟିରେ ୪/୫ଟି ଚୁଲା ବ୍ୟବସ୍ଥା ଥିଲା। ଗୁଡ଼ରୁ ପ୍ରସ୍ତୁତ ପୋଚ ଓ ସାର ପିଡ଼ିଆ(ୟୁରିଆ) ମିଶାଇ ଏହି ମଦ ରନ୍ଧା ଯାଉଥିଲା। ବଡ଼ କଥା ହେଉଛି ଏଭଳି ମିନି ଭାଟି ଚାଲୁଥିବା ସମସ୍ତେ ଦେଖୁଥିଲେ ବି କେହି ମୁହଁ ଖୋଲୁ ନଥିଲେ।

ହାଣ୍ଡିଆରୁ ପୋଚ ମଦ ଯାଏ
ସୂଚନାନୁସାରେ ଅଭିଯୁକ୍ତମାନେ ପୂର୍ବରୁ ମୟୂରଭଞ୍ଜରେ ହାଣ୍ଡିଆ ବିକି ଚଳୁଥିଲେ। ରାଜଧାନୀର ବସ୍ତିଅଞ୍ଚଳରେ ହାଣ୍ଡିଆର ଚାହିଦା ଥିବାରୁ ସେମାନେ ଦୀର୍ଘ ବର୍ଷ ହେଲା ଏଠାରେ ରହି ହାଣ୍ଡିଆ ବିକ୍ରି କରୁଛନ୍ତି। ପରେ ବଜାର ଚାହିଦା ଦେଖି ରନ୍ଧାମଦ ବି ପ୍ରସ୍ତୁତ କରୁଛନ୍ତି। ସରକାରୀ ଆସ୍କା ଫଟି ଦାମ ଅଧିକ ହେଉଥିବାରୁ ଲୋକେ ରନ୍ଧା ମଦ ଉପରେ ନିର୍ଭର କରୁଥିବା ଜାଣି ‌ସେମାନେ ଏହି କାରବାର କରୁଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର