ଭୁବନେଶ୍ବର: ଋଣ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣକୁ ଅଟକ ରଖିଛି। ପାଖାପାଖି ଏକ ହଜାର ମହିଳାଙ୍କ ଠାରୁ ୫ ଲକ୍ଷରୁ ଟଙ୍କା ଊର୍ଦ୍ଧ୍ବ ଠକିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ଛାଡ଼ି ଦେବା ପାଇଁ ପୁଲିସ ଉପରେ ପ୍ରବଳ ଚାପ ପଡ଼ିଛି। ଆସ୍ତେ ଆସ୍ତେ ପଇସା ଫେରାଇ ଦେବା ପାଇଁ ଯୁବକ ଜଣକ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଛି। ଏଣୁ ମାମଲା ରୁଜୁ ହୋଇ ନାହିଁ। ଆଜି ମଧ୍ୟାହ୍ନରେ ଶହ ଶହ ମହିଳା ଥାନା ଆଗରେ ଜମା ହୋଇଯିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ଲକ୍ଷ୍ମୀସାଗର ଅଂଚଳରେ ଶତାଧିକ ମହିଳାଙ୍କୁ ଋଣ ଦେବା ପାଇଁ ସମ୍ପୃକ୍ତ ଯୁବକ ପ୍ରତିଶ୍ରୁତି ଦେଇଥିଲା। ପ୍ରୋସେସିଂ ବାବଦକୁ ପ୍ରଥମେ ମୋଟା ଅଙ୍କରେ ଟଙ୍କା ଜମା କରିବା ପାଇଁ କହିଥିଲା। ମହିଳାମାନେ ଟଙ୍କା ଜମା କରିଥିଲେ। ଆଜି ଆସ କାଲି ଆସ କହି ଯୁବକ ଜଣକ ସମୟ ଗଡ଼ାଇ ଚାଲିଥିଲା। ଠକାମୀ ମନୋବୃତ୍ତି ଦେଖି ମହିଳାମାନେ ଟଙ୍କା ଫେରସ୍ତ ଚାହିଥିଲେ। ଟଙ୍କା ଫେରାଇବା ପରିବର୍ତ୍ତେ ବ୍ୟକ୍ତି ଜଣକ ଧମକ ଦେଇଥିଲା। ଏଣୁ ଗତକାଲି ଏନେଇ ଥାନାରେ ଅଭିଯୋଗ ହୋଇଥିଲା।