ଗ୍ରିଲ୍‌ ତାଡ଼ି କମ୍ପ୍ୟୁଟର୍‌ ଦୋକାନରୁ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

ଭୁବନେଶ୍ୱର: ସିଆର୍‌ପି ଛକ ନିକଟରେ ଥିବା ଏକ କମ୍ପ୍ୟୁଟର୍‌ ଦୋକାନରୁ ୫ ଲକ୍ଷ ଟଙ୍କାର ଜିନିଷପତ୍ର ଚୋରି ହୋଇଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଦୋକାନର ମାଲିକ ବିଷ୍ଣୁପ୍ରସାଦ ପଟ୍ଟନାୟକ ଏନେଇ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଷ୍ଣୁଙ୍କ ଅଭିଯୋଗ ଅନୁଯାୟୀ, ସିଆର୍‌ପି ଛକ ନିକଟରେ ‘ଆଇଟି ରୋଜ୍‌’ ନାମକ ଏକ କମ୍ପ୍ୟୁଟର୍‌ ଦୋକାନ ରହିଛି। ଗତ ୪ ତାରିଖ ରାତି ପ୍ରାୟ ୧୦ଟାରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ୫ ତାରିଖ ସକାଳେ ତାଙ୍କ ଦୋକାନରୁ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଗ୍ରିଲ ତାଡ଼ିବା ସହ କାଚ ଭାଙ୍ଗି ଦୋକାନ ଭିତରୁ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ। ଚୋରି ସାମଗ୍ରୀ ଭିତରେ ଗୋଟିଏ ଲାପଟପ୍‌, ପ୍ରୋଜେକ୍ଟର୍‌, ହାର୍ଡଡିସ୍କ, ପ୍ରୋସେସର୍‌, ମଦର ବୋର୍ଡ ଓ ନଗଦ ୨୫ ହଜାର ଟଙ୍କା ଥିବା ଜଣାଯାଇଛି। ପରେ ଏ ସଂପର୍କରେ ବିଷ୍ଣୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସିଆର୍‌ପିରୁ ଆଇଆର୍‌ସି ପ୍ରାୟ ୨୦୦ ମିଟର ରାସ୍ତା ସଂପୂର୍ଣ୍ଣ ଅନ୍ଧାର ରହୁଥିବାରୁ ଏଠାରେ ବିଭିନ୍ନ ସମୟରେ ଅସାମାଜିକଙ୍କ ଆଡ଼ା ଜମୁଛି। ପୁଲିସ ପକ୍ଷରୁ ମଧ୍ୟ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉନଥିବାରୁ ଗତ ୪ ତାରିଖ ରାତିରେ ଏପରି ଘଟଣା ଘଟିଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର