୫ ଲକ୍ଷ ଟଙ୍କା ଜବତ କରି ନିଜେ ହଜମ କରିଦେଲେ ହାବିଲଦାର

ନୂଆଦିଲ୍ଲୀ: ଅପରାଧୀଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କଲେ ଆଉ ନିଜେ ଚଳୁ କରିଦେଲେ | ଦିଲ୍ଲୀ ପୁଲିସର ଜଣେ ହାବିଲଦାରଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି | ଅଭିଯୋଗ ମୁତାବକ ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ହକିକତ ନଗରର ସନ୍ଦୀପ ମାଟା ନାମକ ବ୍ୟକ୍ତି ପାଞ୍ଚ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଚାରିଜଣ ଲୁଟେରା ଟଙ୍କା ଭର୍ତ୍ତି ବ୍ୟାଗ ଧରି ପଳାଇ ଯାଇଥିଲେ। ଘଟଣାର କିଛି ଘଣ୍ଟା ପରେ, ଏହି ୪ ଲୁଟେରା ଲାଲକିଲ୍ଲା ଦେଇ ଯାଉଥିବାବେଳେ ହାବିଲଦାର ପବନ ତ୍ୟାଗୀ ଏମାନଙ୍କୁ ଅଟକାଇଥିଲେ | ତେବେ ଦୁଇ ଜଣ ପଳାଇଯିବାରେ ସକ୍ଷମ ହୋଇଥିଲେ | ଆଉ ପବନ ଯେଉଁ ଦୁଇଜଣଙ୍କୁ ଧରିଥିଲେ ସେମାନଙ୍କ ପାଖରୁ ୫ ଲକ୍ଷ ଟଙ୍କା ଜବତ କରି ଉଭୟଙ୍କୁ ବାଇକ ଚୋରି ଅଭିଯୋଗରେ ଥାନାକୁ ପଠାଇ ଦେଇଥିଲେ |

ଦୁଇ ଜଣ ଲୁଟେରା ଟଙ୍କା ଚୋରି କରିଥିବାବେଳେ ପବନ ଏହି ଦୁଇ ଚୋରଙ୍କୁ ଅନ୍ୟ ଏକ କେଶରେ ଫସାଇ ଥାନାକୁ ସୂଚନା ଦେଇଥିଲେ | ତେବେ ଦୁଇ ଦିନ ତଳେ ଯେତେବେଳେ ଅନ୍ୟ ଏକ ଚୋରି ମାମଲାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଥିଲା ସେତେବେଳେ ସେମାନେ ସବୁ କିଛି ବଖାଣିଥିଲେ | ଆଉ ଅଗଷ୍ଟ ୬ ତାରିଖରେ ଚୋରି କରିଥିବା ଟଙ୍କା ବାବଦରେ ସେମାନେ କିଛି ଜାଣିନଥିବା କହିଥିଲେ |

ଏହା ପରେ ପୁଲିସ ଅଧିକାରୀ ଅନୁସନ୍ଧାନ କରିବାରୁ ହାବିଲଦାର ପବନ ତ୍ୟାଗୀ ଚୋରି ହୋଇଥିବା ୫ ଲକ୍ଷ ଟଙ୍କା ନିଜ ପାଖରେ ରଖିଥିବାର ଜଣାପଡିଥିଲା | ତେବେ ପବନ ଏହାକୁ ଅସ୍ବୀକାର କରିଥିବାବେଳେ ସିସିଟିଭି କ୍ୟାମେରାରେ କିନ୍ତୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ପବନ ଯାଉଥିବାର ସ୍ପଷ୍ଟ ହୋଇଥିଲା | ଆଉ ଏହା ପରେ ହାବିଲଦାରଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର