ପଥପ୍ରାନ୍ତ ନାଟକ ପରିବେଷଣକାରୀ ୫ ମହିଳାଙ୍କୁ ବଣକୁ ନେଇ ଦୁଷ୍କର୍ମ କଲେ ୬ ଅପରିଚିତ ଦୁର୍ବୃତ୍ତ

ରାଞ୍ଚି: ପ୍ରବାସ ଯାତ୍ରା ଏବଂ ମାନବ ଚୋରା ଚାଲଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବାକୁ ଖୁଣ୍ଟି ଜିଲ୍ଲାର ମଙ୍ଗଳବାର ଦିନ ଏକ ଗାଁ’କୁ ଯାଇଥିବା ୫ ଜଣ ମହିଳାଙ୍କ ସହ ପ୍ରାୟ ଅଧ ଡଜନ ସରିକି ଲୋକ ଦୁଷ୍କର୍ମ କରିଛନ୍ତି। ପୀଡ଼ିତାମାନେ ଯୋଗାଯୋଗ କରିଥିବା ଜଣେ ସାମାଜିକ କର୍ମୀ ପୁଲିସକୁ ସୂଚନା ଦେବା ପରେ ଏ ଘଟଣା ଜଣାପଡ଼ିଛି।

ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ପୁଲିସ କହୁଛି କି, ସେମାନେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ ଧରିବା ନିମନ୍ତେ ତଲାସ ଚାଲିଛି। ଗୁରୁବାର ଦିନ ପୁଲିସ ଏତଲା ଦାଏର୍‌ କରିଛି। କୋଚାଙ୍ଗ ଗାଁ’ରେ ଘଟିଥିବା ଘଟଣାର ତଦନ୍ତ କରିବାକୁ ରାଞ୍ଚି ଡିଆଇଜି ଅମୋଲ୍‌ ଭି ହୋମକାର ତିନୋଟି ଟିମ୍‌ ଗଠନ କରିଛନ୍ତି।

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଗ୍ରାମସମୂହରେ ପଥଲଗଡ଼ି ଆନ୍ଦୋଳନ ସହ ସମ୍ପୃକ୍ତ ଲୋକେ ଏଥିରେ ସମ୍ପୃକ୍ତ ବୋଲି ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି। ସେମାନଙ୍କ ଆନ୍ଦୋଳନ କହେ ଯେ ଗ୍ରାମସଭା ହେଉଛି ସାର୍ବଭୌମ। ସେମାନଙ୍କ ଅଞ୍ଚଳର ମାମଲାରେ କୌଣସି ବାହାର ଲୋକଙ୍କ ହସ୍ତକ୍ଷେପ ନିଷିଦ୍ଧ।

ପୀଡ଼ିତାମାନେ ବୟାନରେ ଉଲ୍ଲେଖ କରିଛନ୍ତି: ଅଭିଯୁକ୍ତମାନେ ସେମାନଙ୍କୁ ଧମକ ଦେଇ କହିଲେ ଯେ ସେମାନଙ୍କ ବିନା ଅନୁମତିରେ ସରକାରୀ ଯୋଜନାର ପ୍ରଚାର ପାଇଁ ସେ ଅଞ୍ଚଳକୁ ପ୍ରବେଶ କରନାହିଁ।

ଗାଁ’ରେ ମାନବ ଚୋରା ଚାଲାଣ ବିଷୟରେ ସଚେତନତା ସୃଷ୍ଟି କରାଇବାକୁ ମଙ୍ଗଳବାର ଦିନ ଏକ ଏନ୍‌ଜିଓ ଦଳ ସେଠାରେ ପଥପ୍ରାନ୍ତ ନାଟକ ପରିବେଷଣ କରିବାକୁ ଯାଇଥିଲେ। ଅଳ୍ପ କେତେ ଜଣ ଅପରିଚିତ ଲୋକ ବନ୍ଧୁକ ଦେଖାଇ ପୀଡ଼ିତାମାନେ ଯାଇଥିବା ଗାଡ଼ିରେ ହିଁ ସେମାନଙ୍କୁ ନେଇ ଯାଇଥିଲେ।

ପୀଡ଼ିତାମାନେ କହିଛନ୍ତି ଯେ ସେମାନଙ୍କ ପୁରୁଷ ସହଯୋଗୀଙ୍କୁ ମାଡ଼ ଦିଆଯାଇ ନିଜ ନିଜର ପରିସ୍ରା ପିଇବାକୁ ବାଧ୍ୟ କରାଯିବା ପରେ କାର୍‌ ମଧ୍ୟରେ ବନ୍ଦ କରି ଦିଆଯାଇଥିଲା। ଅପରାଧୀମାନେ ଏଥର ପୀଡ଼ିତାମାନଙ୍କୁ ବଣ ଭିତରକୁ ନେଇ ସେମାନଙ୍କ ସହ ଗଣଦୁଷ୍କର୍ମ କରିବା ସହ ସେମାନଙ୍କ ଫୋନ୍‌ରେ ସମଗ୍ର ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ। ସେମାନଙ୍କୁ ପ୍ରାୟ ୪ ଘଣ୍ଟା ଧରି ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର