ମାଆ ମୂଷାମରା ଔଷଧ ଖୋଇ ଦେବାରୁ ୫ ବର୍ଷିୟ ପୁଅର ମୃତ୍ୟୁ

ମୁମ୍ବାଇ: ମାଆ ମୂଷାମରା ଔଷଧ ଖୋଇ ଦେବାରୁ ମଙ୍ଗଳବାର ଦିନ ଜଣେ ନାବଳକର ମୃତ୍ୟୁ ଘଟିଛି। ସୋମବାର ଦିନ ମୂଷାମରା ଔଷଧ ଖାଇ ୩୪ ବର୍ଷୀୟ ରିନା ଆୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ସେଇ ବିଷ ନିଜ ପାଞ୍ଚ ବର୍ଷିୟ ପୁଅ ହର୍ଷକୁ ମଧ୍ୟ ଖୋଇ ଦେଇଥିଲେ। ଏବେ ରିନା ବିପଦମୁକ୍ତ ଥିବାବେଳେ, ଜୁହୁସ୍ଥିତ କୁପର୍‌ ସହ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ହର୍ଷ ମଙ୍ଗଳବାର ଦିନ ମରି ଯାଇଛି।

ମୂଷାମରା ଔଷଧ ହର୍ଷର ଲିଭର ଅକାମି କରିଦେବାରୁ ତା’ର ମୃତ୍ୟୁ ଘଟିଲା। ରିନାଙ୍କର ଅବସ୍ଥା ମଧ୍ୟ ସଂକଟଜନକ ରହିଥିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ବୋଲି ହସ୍‌ପିଟାଲ୍‌ର ସହକାରୀ ମେଡିକାଲ୍‌ ଅଫିସର୍‌ କହିଛନ୍ତି।

ସାନ୍ତାକ୍ରୁଜ୍‌ ପୁଲିସ ରିନାଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦାମ୍ପତ୍ୟ କଳହରୁ ଏ ଭଳି ବିୟୋଗାନ୍ତ ଘଟନା ଘଟିଛି। ଜୁହୁ ତାରା ରୋଡ୍‌ ଅନ୍ତର୍ଗତ ଶିବାଜୀ ନଗରରେ ସ୍ୱାମୀ ରାଜେଶଙ୍କ ସହ ସ୍ୱଳ୍ପ ଆୟରେ ଚଳନ୍ତି ରିନା। ଘର ଖର୍ଚ ନିମନ୍ତେ ସୋମାବାର ରାତି ସାଢ଼େ ନଅଟା ବେଳେ ଟଙ୍କା ମାଗିଥିଲେ। ୪୦ ବର୍ଷିୟ ରାଜେଶ ଜଣେ ସେଲ୍‌ଫୋନ୍‌ ସର୍ଭିସ ପ୍ରୋଭାଇଡର୍‌ଙ୍କ ପାଖରେ କାମ କରୁଥିଲେ। ସେ ରିନାଙ୍କୁ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ କଜିଆ ହୋଇଥିଲା। ରାଗରେ ରାତି ପ୍ରାୟ ୧୦:୩୦ରେ ରିନା ସାନ ପୁଅକୁ ଛାଡ଼ି ୫ ବର୍ଷିୟ ବଡ଼ ପୁଅକୁ ଧରି ଘରଛାଡ଼ି ଚାଲି ଗଲେ।

ଜୁହୁ ବିଚ୍‌କୁ ଯାଇ ରାତି ପ୍ରାୟ ୧୧ଟା ବେଳେ ସେ ଗୋଟିଏ ଦୋକାନକୁ ଯାଇ ବିଷ କିଣିଥିଲେ। ପ୍ରଥମେ ସେ ନିଜେ ବିଷ ଖାଇ ପରେ ହର୍ଷକୁ ଖୋଇ ଦେଇଥିଲେ। ହର୍ଷ ବାନ୍ତି କରିବାରୁ ଛାନିଆ ହୋଇ ରିନା ତାକୁ ରାତି ଅଧ ବେଳକୁ କୁପର୍‌ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର