ଯୌତୁକ ଅଧିକ ମିଳିବାରୁ ବିବାହ ଦିନ ଅନ୍ୟ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଗଲା ବର

ଗୋରଖପୁର: ଯୌତୁକ ଅଧିକ ମିଳିବାରୁ ବିବାହ ଦିନ ଅନ୍ୟ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଗଲା ବର। ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ବିବାହ ଦିନ ଅନ୍ୟ ଜଣେ ଯୁବତୀଙ୍କ ପରିବାର ଅଧିକ ‌ଯୌତୁକ ଦେବାକୁ ପ୍ରତିଶ୍ରୁତି ଦେବାରୁ ବର ବିବାହ ଭାଙ୍ଗିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମେ’ ୧୦ରେ ବିବାହ ଥିବା ବେଳେ ଏବେ କନ୍ୟା ପକ୍ଷ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି।

ବିବାହ ପାଇଁ ମଣ୍ଡପ ସଜା ସରିଥିଲା ଓ ଘରକୁ କୁଣିଆ ଆସି ସାରିଥିଲେ। ଠିକ୍ ଏତିକି ବେଳେ ବିବାହ ଭାଙ୍ଗିଦେଇଥିଲା ବର। କାରଣ ପଚରାଯିବାରୁ ଅଧିକ ଯୌତୁକ ପାଇଁ ବର ଏଭଳି କରିଥିବା ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ଘଟିଛି ଗୋରଖନାଥ ଅଞ୍ଚଳର। ଗୋରଖନାଥ ଅଞ୍ଚଳରେ ଥିବା ବରଗଦବାର ବିକାଶ ନଗରରେ ରହୁଥିବା ଜଣେ ଯୁବତୀଙ୍କ ବିବାହ ଚିଲୁଆତାଲ ଅଞ୍ଚଳର ରାପ୍ତିନଗର ନିବାସୀ ଅରୁଣ ଉପାଧ୍ୟାୟଙ୍କ ପୁଅ ପ୍ରଶାନ୍ତ ଉପାଧ୍ୟାୟଙ୍କ ସହ ସ୍ଥିର ହୋଇଥିଲା। ଧୁମଧାମରେ ନିର୍ବନ୍ଧ ହେବା ପରେ ମ‌େ’ ୧୦ରେ ବିବାହ ହେବ ବୋଲି ସ୍ଥିିର କରାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବରପକ୍ଷ ବିବାହ କରିବାକୁ ମନା କରିଦେଇଥିଲେ। ଏହା ପରେ ପୀଡିତାଙ୍କ ବାପା ନ୍ୟାୟ ପାଇଁ ପୁଲିସ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ବରପକ୍ଷ ଯୌତୁକ ଟଙ୍କା ନେବା ସହ ଗାଡ଼ି କିଣିବାକୁ ଟଙ୍କା ନେଇଥିଲେ। କିନ୍ତୁ, ଯେତେବେଳେ ଅନ୍ୟ ଜଣେ ଯୁବତୀଙ୍କ ପରିବାର ୫୦ଲକ୍ଷ ଯୌତୁକ ଅଫର ଦେଲେ, ସେତେବେଳେ ବରପକ୍ଷ ବିବାହ ଭାଙ୍ଗି ଏବେ ଅନ୍ୟ ସ୍ଥାନରେ ବିବାହ କରିବାକୁ ସ୍ଥିର କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର