ଚା’ରେ ନିଶାଦେଇ ୫ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟ୍‌

ଭୁବନେଶ୍ବର: ଚା’ରେ ନିଶା ଦେଇ ଯୁବକଙ୍କଠାରୁ ୫ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୁଟେରାମାନେ ଯୁବକଙ୍କଠାରୁ ଲୁଟପାଟ କରିବା ପରେ ତାଙ୍କୁ ପୁରୀ‌ କେନାଲ୍‌ ରୋଡ୍‌ରେ ଫୋପାଡ଼ି ଚାଲି ଯାଇଥିଲେ। ଖବର ପାଇ ପିସିଆର ଭ୍ୟାନ୍‌-୬ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଯୁବକ ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ଜଗଦୀଶ ଚନ୍ଦ୍ର ସ୍ବାଇଁ। ବୁଧବାର ସକାଳ ସମୟରେ ଜଗଦୀଶ ଚେନ୍ନାଇରୁ ଆସି ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚି ଥିଲେ। ଏହି ସମୟରେ ସେଠାରେ ଥିବା ଦୁଇଜଣ ଯୁବକ ତାଙ୍କ ସହ ବନ୍ଧୁତା କରିଥିଲେ। ଆଉ ଚା’ ପିଇବା ପାଇଁ ନିକଟ ଏକ ଦୋକାନକୁ ଡାକିଥିଲେ। ଜଗଦୀଶ ଚା’ ପିଇବାର କିଛି ସମୟ ପରେ ସଂଜ୍ଞାହୀନ ହୋଇଯାଇଥିଲେ। ଏହି ସୁଯୋଗରେ ଲୁଟେରାଦ୍ବୟ ତାଙ୍କୁ ପୁରୀ କେନାଲ୍‌ ରୋଡ୍‌ ଅଞ୍ଚଳକୁ ନେଇ ଯାଇଥିଲେ। ତାଙ୍କ ପକେଟରୁ ୫ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ଯାଇଥିଲେ। ଏହାପରେ ତାଙ୍କୁ ସେଠାରେ ଫୋପାଡ଼ି ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋ‌କେ ଯୁବକଙ୍କୁ ସଂଜ୍ଞାହୀନ ବଅସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍‌ କରିଥିଲେ। ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲା। ତାଙ୍କ ଚେତା ଫେରିବା ପରେ ସେ ଘଟଣା ବିଷୟରେ କହିବା ସହ ଘର ଠିକଣା ଦେଇଥିଲେ। ପୁଲିସ ତାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିଥିଲା। ପରିବାରଲୋକ ଆସିବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର