ମହଙ୍ଗା ପଡ଼ିଲା ର‍୍ୟାଗିଂ: ୨୫,୦୦୦ ଲେଖାଏ ଜରିମାନା ଦେବେ ୫୪ ମେଡିକାଲ ଛାତ୍ରୀ!

ଦରଭଙ୍ଗା: ର‍୍ୟାଗିଂ ଅଭିଯୋଗରେ ବିହାରର ଦରଭଙ୍ଗା ମେଡିକାଲ୍‌ କଲେଜର ୫୪ ଜଣ ଡାକ୍ତରୀ ଛାତ୍ରୀଙ୍କୁ ୨୫,୦୦୦ ଲେଖାଏ ଜରିମାନା ହୋଇଛି। ତେବେ, ଏହି ର‍୍ୟାଗିଂ ବାବଦରେ କଲେଜ ପ୍ରିନ୍ସିପାଲ୍‌ କହନ୍ତି, ‘ର‍୍ୟାଗିଂର ଶିକାର ହୋଇଥିବା ଛାତ୍ରୀମାନେ କଲେଜ୍‌ରେ ଅଭିଯୋଗ ନକରି ପ୍ରଥମେ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ)ରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଏମ୍‌ସିଆଇ ଏ ସଂପର୍କରେ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ସୂଚୀତ କରାଇଥିଲେ।’

ଏହି ମାମଲାର ତଦନ୍ତ କରିବା ପାଇଁ ଆଣ୍ଟି ର‍୍ୟାଗିଂ ଟିମ୍‌ ଯାଇ ଛାତ୍ରୀନିବାସରେ ପହଞ୍ଚିଥିଲେ। ମାତ୍ର ସେଠାରେ କେହି ବି ସହଯୋଗ କରି ନଥିଲେ। ର‍୍ୟାଗିଂ ସଂପର୍କରେ କେହି ହେଲେ ମୁହଁ ଖୋଲି ନଥିବାରୁ ସେଠାରେ ଉପସ୍ଥିତ ସମସ୍ତ ଜୁନିୟର୍‌ ଏବଂ ସିନିୟର ଛାତ୍ରୀଙ୍କ ଉପରେ ୨୫,୦୦୦ ଲେଖାଏ ଜରିମାନା ଘୋଷଣା ହୋଇଛି। ତେବେ, ଆସନ୍ତା ୨୫ ତାରିଖ ସୁଦ୍ଧା ଜରିମାନା ରାଶି ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବିହାରରେ ଏହି ୧୫ ଦିନ ମଧ୍ୟରେ ଏହି ଧରଣର ଦୁଇଟି ମାମଲା ଦେଖିବାକୁ ମିଳିଛି। ନିକଟରେ ଜବାହାରଲାଲ୍‌ ନେହେରୁ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ୩୩ ଜଣ ଡାକ୍ତରୀ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗରେ ୨୫,୦୦୦ ଲେଖାଏ ଜରିମାନା ଦେଇଥିଲେ।

ସମ୍ବନ୍ଧିତ ଖବର