ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ

ଦୁଇଟି ଅଫୁଟା ବୋମା ଓ ଖଣ୍ଡା ଜବତ

ଧଉଳି: ସ୍ଥାନୀୟ ଭଗୁଆବାଙ୍କ ସ୍ଥିତ ଏକ ନିଛାଟିଆ ସ୍ଥାନରେ ଡକାୟତି ଯୋଜନା କରୁଥିବା ୬ଜଣ ଯୁବକଙ୍କୁ ଉତ୍ତରା ଫାଣ୍ଡି ଓ ପିପିଲି ଥାନା ପୁଲିସ ମିଳିତ ଚଢ଼ଉ କରି ଗିରଫ କରିଛି। ଗିରଫ ଯୁବକମାନେ ହେଲେ, ପୁରୀ ଜିଲ୍ଲା ବାସେଳି ସାହି ଥାନା ଗୋଖା ସାହି ଗ୍ରାମର ସନ୍ତୋଷ ବେହେରା ଓରଫ ହଙ୍କନ(୨୧), ରାଜା ବେହେରା ଓରଫ ମିଥୁନ(୨୬), ବଗୁଲି ବେହେରା(୨୫), ବିଜୟ କୁମାର ବେହେରା (୨୮), ଅଭି ବେହେରା(୨୦) ଓ ବାଲିସାହି ଥାନା ଅଞ୍ଚଳର ଅମିତ ହରିଚନ୍ଦନ, ଓରଫ ଚକା (୨୭)। ଚଢ଼ଉ ସମୟରେ ପୁଲିସ ସେମାନଙ୍କଠାରୁ ଦୁଇଟି ଅଫୁଟା ସୁତୁଲି ବୋମା ଓ ଦୁଇଟି ଖଣ୍ଡା ଜବତ କରିଛି। ଫାଣ୍ଡି ଅଧିକାରୀ ଅଶୋକ କୁମାର ଗୋଚ୍ଛାୟତଙ୍କ ସୂଚନାନୁଯାୟୀ ସେମାନେ ଭଗୁଆବାଙ୍କଠାରେ ଡକାୟତି ପାଇଁ ଯୋଜନା ଚଳାଇଥିଲେ। ସେହି ବାଟ ଦେଇ ଆସୁଥିବା ଜଣେ ବାଇକ ଆରୋହୀଙ୍କ ସୂଚନା ଆଧାରରେ ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ପୁଲିସ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ପଚରାଉଚରା ସମୟରେ ସେମାନେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର