ବସ୍ ଭିତରୁ ୬ ଲକ୍ଷ ଝାମ୍ପିନେଲେ

ଖଣ୍ଡଗିରି: ଶନିବାର ଅପରାହ୍‌ଣରେ ବରମୁଣ୍ଡା ଫାୟାର୍‌ ଷ୍ଟେସନ୍ ଛକ ନିକଟରୁ ଏକ ବସ୍‌ ଭିତରୁ ଜଣେ ବ୍ୟବସାୟୀଙ୍କଠାରୁ ୬ଲକ୍ଷ ଟଙ୍କା ଭର୍ତି ବ୍ୟାଗ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ହେଲେ, ଖୋର୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁ। ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ବସ୍ ଝରକା ବାଟେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଥିବା ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କୃଷ୍ଣଙ୍କୁ ଧରି ଛାନ୍‌ଭିନ୍ ଆରମ୍ଭ କରିଛି। ମାତ୍ର ଲୁଟେରା କିମ୍ବା ସେ ବସିଥିବା ବସ୍‌ ସଂପର୍କରେ କୃଷ୍ଣ ଠିକ୍ ସୂଚନା ଦେଇପାରୁ ନଥିବାରୁ ପୁଲିସ ତଦନ୍ତ ବାଟବଣା ହେଉଥିବା ସୂଚନା ମିଳିଛି। ସୂଚନାନୁସାରେ, ବେଗୁନିଆ ବଜାରରେ କୃଷ୍ଣଙ୍କର ଏକ ତେଜରାତି ଦୋକାନ ରହିଛି। ସେ ନିୟମିତ କଟକ ମାଲଗୋଦାମରୁ ବିଭିନ୍ନ ସାମଗ୍ରୀ କିଣନ୍ତି। ଆଜି ସେ ୬ଲକ୍ଷ ଟଙ୍କା ଧରି ଘରୁ କଟକ ଅଭିମୁଖେ ବାହାରିଥିଲେ। ଅପରାହ୍ଣ ପ୍ରାୟ ୪ଟା ବେଳେ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ଏକ ବସରେ ଚଢ଼ିଥିଲେ। ବସ୍‌ଟି ଫାୟାର୍‌ ଷ୍ଟେସନ୍‌ ଟ୍ରାଫିକ୍‌ ଛକ ନିକଟରେ ଅଟକି ଥିବା ବେଳେ କୃଷ୍ଣ ବସିଥିବା ଚାଳକଙ୍କ ପଛ ସିଟ୍‌ ଝରକା ପାଖରେ ଏକ ବାଇକ୍‌ ଅଟକିଥିଲା। ସେଥିରେ ଥିବା ଦୁଇଜଣ ଯୁବକ ମୁହଁରେ ରୁମାଲ୍‌ ବାନ୍ଧିଥିଲେ। ହଠାତ୍ ଜଣେ ଦୁର୍ବୃତ୍ତ ଝରକା ବାଟେ ହାତ ଗଳାଇ ତାଙ୍କ କୋଳରେ ଥିବା ଟଙ୍କା ଭର୍ତି ବ୍ୟାଗ୍‌କୁ ଉଠାଇ ନେଇଥିଲା। ସେ ପାଟି କରିବା ପୂର୍ବରୁ ବାଇକ୍‌ ନେଇ ଦୁଇ ଦୁର୍ବୃତ୍ତ ଆଖି ପିଛୁଳାକେ କେଉଁଆଡ଼େ ପଳାଇ ଯାଇଥିଲେ। ଚୋର ଚୋର ବୋଲି ପାଟି କରି ସେ ବସ୍‌ରୁ ବାହାରି ଆସିବା ବେଳେ ଟ୍ରାଫିକ୍‌ ସିଗ୍‌ନାଲ୍ ଦେବାରୁ ବସ୍‌ଟି ସେଠାରୁ ଛାଡ଼ି ପଳାଇଥିଲା। ପୁଲିସ ସୂଚନାନୁସାରେ ଏହି ଲୁଟ୍‌ ପୂରା ନୂଆ ଷ୍ଟାଇଲ୍‌ରେ ହୋଇଛି। କୃଷ୍ଣଙ୍କ ଅଭିଯୋଗ ଅନୁସାରେ ପୁଲିସ ଉକ୍ତ ବସ୍‌କୁ ଖୋଜୁଛି। ମାତ୍ର ସେ ବସ୍ ବାବଦରେ ଠିକ୍‌ ସୂଚନା ଦେଇପାରୁ ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ସେହିଭଳି ମଝିରେ ମଝିରେ କୃଷ୍ଣ କିଛି କଥା ମଧ୍ୟ ଓଲଟା ପାଲଟା କରି କହୁଛନ୍ତି। ତେଣୁ ଟଙ୍କା ଭର୍ତି ବ୍ୟାଗ୍‌ ସେ କେଉଁଠି ଭୁଲବଶତଃ ଛାଡ଼ି ଦେଇଛନ୍ତି କି ଅନ୍ୟ କିଛି ଘଟିଛି, ତାହା ତଦନ୍ତ ସାପେକ୍ଷ। ତେବେ ଛାନ୍‌ଭିନ୍ ସରିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ଓ ଲୁଟ୍‌ ହୋଇଥିଲେ ଦୁର୍ବୃତ୍ତମାନଙ୍କୁ ଠାବ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର