ଖୋର୍ଧା: ଖୋର୍ଧା ଟାଉନ୍ ଥାନା ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଗତ ରାତିରେ ପୁଲିସ ଏକ ଡକାୟତ ଗ୍ୟାଙ୍ଗର ୬ଜଣ ସଦସ୍ୟ ଓ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଖୋର୍ଧା ସହର ପଲ୍ଲାର ସମ୍ପଦ ଦାସ (୨୩), ଲୋକେଶ୍ୱରପୁରର ସ୍ୱାଗତ ପଟ୍ଟନାୟକ (୨୩), ଗଡ଼ଖୋର୍ଧା ହାଉସିଂବୋର୍ଡ କଲୋନିର ଚନ୍ଦନ ନାୟକ (୨୨), ସାମନ୍ତରାପୁରର ଶ୍ରୀକାନ୍ତ ପରମଗୁରୁ, ବାଙ୍କୀ ତାଳବସ୍ତର ଆଲୋକ ଦଳବେହେରା (୨୫) ଓ ବାଙ୍କୀ ପଦନପୁରର ଅବନୀ କୁମାର ସାହୁ (୪୪) ଏବଂ ଏହି ଡକାୟତମାନଙ୍କୁ ସହଯୋଗ କରିବା ଅଭିଯୋଗରେ ପୁଲିସ ଖୋର୍ଧା ଟାଉନ୍ର ସାମନ୍ତରାପୁରର ମହିଳା ଅନିତା ପରମଗୁରୁଙ୍କୁ ଗିରଫ କରିଛି। କୋର୍ଟରେ ଏ ସମସ୍ତଙ୍କ ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ପୁଲିସ ୧୫ଟି ସୁନା ଚେନ୍, ୨୧ ଗ୍ରାମର ବ୍ରାଉନ୍ସୁଗାର, ଗୋଟିଏ ଭୁଜାଲି, ଦୁଇଟି କଟୁରି, ଗୋଟିଏ ଲୁହା ରଡ୍ ଦେଶୀ ପିସ୍ତଲ ଜବତ କରିଛି। ଜବତ ବ୍ରାଉନ୍ସୁଗାର୍ର ଆନ୍ତର୍ଜାତିକ ବଜାର ମୂଲ୍ୟ ୨ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି ଜଣାଯାଇଛି। ଗତ ରାତିରେ ବରୁଣେଇ ପୀଠ ଛକ ନିକଟରେ ୧୦ଜଣିଆ ଏକ ଡକାୟତ ଦଳ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ଖୋର୍ଧା ଟାଉନ୍ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ୪ଡକାୟତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ବାକି ୬ଜଣ ପୁଲିସ ହାତରେ ଧରା ପଡ଼ିଥିଲେ। ସେମାନଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିବାରୁ ଖୋର୍ଧା ଟାଉନ୍ର ସାମନ୍ତରାପୁରର ଅନିତା ପରମଗୁରୁଙ୍କ ଘରେ ବ୍ରାଉନସୁଗାର୍ ରଖାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ଅନିତାଙ୍କ ଘରୁ ୨୧ ଗ୍ରାମର ବ୍ରାଉନସୁଗାର୍ ଓ ବହୁ ପରିମାଣର ଚୋରା ଅଳଙ୍କାର ଜବତ କରିବା ସହ ପୁଲିସ ତାଙ୍କୁ ଗିରଫ କରିଥିଲା। ସେହିପରି ତାଳବସ୍ତର ଆଲୋକ ଦଳବେହେରାଙ୍କ ସ୍ୱୀକାରରୋକ୍ତିକୁ ଆଧାର କରି ଅବନୀ କୁମାର ସାହୁଙ୍କ ନିକଟରୁ ୭ଟି ସୁନା ଚେନ୍ ଉଦ୍ଧାର କରାଯାଇଥିଲା। ଜେରା ବେଳେ ଅବନୀ କୁମାର ସାହୁ ଏକ ଘରୋଇ ବ୍ୟାଙ୍କରେ ଏହି ଚୋରା ସୁନା ଅଳଙ୍କାରକୁ ବନ୍ଧା ପକାଇଥିବା ଜଣାପଡ଼ିବା ପରେ ସେହି ଘରୋଇ ବ୍ୟାଙ୍କରୁ ପୁଲିସ ଏହି ସୁନା ଅଳଙ୍କାର ଉଦ୍ଧାର କରିଥିଲା। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିବା ସହ ଫେରାର୍ ଡକାୟତମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି। ତେବେ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ସେମାନଙ୍କ ନାମ ପ୍ରକାଶ କରିବାକୁ ଗଣମାଧ୍ୟମକୁ ମନା କରିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଧରାପଡ଼ିଥିବା ଏହି ଡକାୟତମାନେ ୧୬ନମ୍ବର ଜାତୀୟ ରାଜପଥରେ ଖୋର୍ଧାଠାରୁ ବାଲୁଗାଁ ମଧ୍ୟରେ ରାହାଜାନୀ କରିବା ସମେତ ଖୋର୍ଧା, ଭୁବନେଶ୍ୱର ଓ ଗଂଜାମ ଜିଲ୍ଲାର ବହୁ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଆଜି ଅପରାହ୍ଣରେ ଖୋର୍ଧା ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଧା ଏସ୍ପି ଦୀପ୍ତିରଂଜନ ରାୟ ଏହି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ରାୟଙ୍କ ବ୍ୟତୀତ ଏସଡିପିଓ ଯୁଗଳ କିଶୋର ଦାସ, ଖୋର୍ଧା ଟାଉନ୍ ଥାନା ଆଇଆଇସି ରଂଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।