୬ ଡକାୟତ ଗିରଫ; ୩ ଫେରାର୍‌ ଡକାୟତି ଯୋଜନା ପଣ୍ଡ

ଭୁବନେଶ୍ୱର: ସତ୍ୟନଗର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ଖାରବେଳନଗର ଥାନା ପୁଲିସ ପଣ୍ଡ କରିଛି। ପୁଲିସ ୬ଜଣ ଡକାୟତଙ୍କୁ ଗିରଫ କରିବା ସହ ୩ଟି ବାଇକ୍‌, ୫ଟି ମୋବାଇଲ୍‌ ଫୋନ୍‌, ୨ଟି କଟୁରି, ୨ଟି ଛୁରି ଓ କିଛି ଟଙ୍କା ଜବତ କରିଛି। ସେମାନେ ହେଲେ ୟୁନିଟ୍‌-୯ ଅଞ୍ଚଳର ଲୋକନାଥ ନାୟକ(୨୦), ଶମ୍ଭୁନାଥ ଦାସ(୨୦), ୟୁନିଟ୍‌-୨ ଅଞ୍ଚଳର ଜିତେନ୍ଦ୍ର ରେଡ୍ଡି(୨୧), ଜୟଦେବବିହାର ଅଞ୍ଚଳର ମୋହନ ପାତ୍ର(୨୩) ଓ ବାଣପୁର ଅଞ୍ଚଳର କମଳା ରଣା(୨୫), ସନ୍ତୋଷ ମହାରଣା। ତେବେ ଅନ୍ୟ ତିନି ଜଣ ଫେରାର ହୋଇ ଯାଇଛନ୍ତି।
ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ୯ ଜଣ ଡକାୟତ ସତ୍ୟନଗର ଶ୍ମଶାନ ନିକଟରେ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଖବର ପାଇଥିଲା। ଖବର ପାଇବା ମାତ୍ରେ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୁଲିସ ୬ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ଲୋକନାଥ, ଶମ୍ଭୁନାଥ, ଜିତେନ୍ଦ୍ର, ମୋହନ, ସନ୍ତୋଷ ଓ କମଳାକୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର