ଖଣ୍ଡଗିରି : ହୋଲି ଦିନ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ରହୁଥିବାରୁ ଚୋରାରେ ମଦ ବିକିବା ପାଇଁ ପ୍ରଚୁର ପରିମାଣରେ ମହଜୁଦ୍ କରିଥିଲେ ଚୋରା ମଦ ବେପାରୀମାନେ। କିନ୍ତୁ ଯୋଜନା ଫସର ଫାଟିଗଲା। ଅଚାନକ ପୁଲିସ ଚଢ଼ଉ କରି ସବୁ ବିଗାଡ଼ି ଦେଲା। ମହଜୁଦ୍ ଥିବା ମଦ ଗଲା, ତା ସହିତ ବିକ୍ରି ହୋଇଥିବା ଟଙ୍କା ଗଲା ଓ ଶେଷକୁ ଜେଲ୍ ଯିବାକୁ ପଡ଼ିଲା। ଶୁକ୍ରବାର କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ସହ ଖଣ୍ଡଗିରି ଥାନା ପୁଲିସ ଆଇଗିଣିଆ, ବରମୁଣ୍ଡା ଓ ଭରତପୁରରେ ଚଢ଼ଉ କରି ପୁଲିସ ୬ ଜଣ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬ ପେଟି (୨୪୪ ବୋତଲ ମଦ) ଜବତ କରାଯାଇଥିବାବେଳେ ଚୋରା ମଦ ବିକ୍ରିରୁ ମିଳିଥିବା ୭୭ ହଜାର ଟଙ୍କା ଜବତ କରାଯାଇଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଗିରଫ ହୋଇଥିବା ୩ ବେପାରୀ ହେଲେ ମା କାଳିକା ହୋଟେଲରେ କାମ କରୁଥିବା କଟକ ନିଆଳୀର ନିରଂଜନ ଖୁଣ୍ଟିଆ, ଗନୁ ଫାଷ୍ଟଫୁଡ୍ର ମାଲିକ ସଉରି ଦାସ ଓରଫ୍ ଗନୁ, ଉତ୍କଳ ହୋଟେଲରେ କର୍ମଚାରୀ ପୁରୀ କାକଟପୁରର ରମେଶ ସାହୁ। ଆଇଗିଣିଆ ଆଳୁ ଗଦି ନିକଟରୁ ଗିରଫ ହୋଇଥିବା ମଦ ବେପାରୀ ଦ୍ୱୟ ହେଲେ ଦଶପଲ୍ଲାର ନାଲୁ ବେହେରା ଓ କଟକ ଗୋବିନ୍ଦପୁରର ଗଜେନ୍ଦ୍ର ପ୍ରଧାନ। ଭରତପୁର ତାରିଣୀ ମାର୍କେଟ୍ ନିକଟରୁ ଗିରଫ ହୋଇଥିବା ବେପାରୀ ହେଲେ ପ୍ରଭାତ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/arjun-wine.jpg)