ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜଣେ ୫୫ବର୍ଷୀୟା ମହିଳାଙ୍କୁ ୬୨ବର୍ଷୀୟ ଡାକ୍ତର ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ମହିଳାଙ୍କୁ ହତ୍ୟା କରିବା ପରେ ଡାକ୍ତରଜଣଙ୍କ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ମୃତଦେହ ଏକ କାରରୁ ମିଳିଥିବା ବେଳେ ବୁଧବାର ସକାଳ ସମୟରେ ପୁଲିସ ଦୁଇଟି ମୃତଦେହକୁ ଉଦ୍ଧାର କରିଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି।
ରୋହିଣୀର ବରିଷ୍ଠ ପୁଲିସ ଅଧିକାରୀ ଏସଡି ମିଶ୍ରଙ୍କ କହିବା ମୁତାବକ, ମୃତ ଡାକ୍ତର ରୋହିଣୀରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସକ ଭାବେ କାମ କରୁଥିବା ବେଳେ ମୃତ ମହିଳା ସେହି ଡାକ୍ତରଖାନା ସହ ଜଡ଼ିତ ଏକ ନର୍ସିଂହୋମର ମାଲିକାଣୀ ଥିଲେ। ଦୁହେଁ ପରସ୍ପର ସହ ପ୍ରେମ ସଂପର୍କରେ ଥିବା ବେଳେ ମହିଳା ଡାକ୍ତରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ବାରମ୍ବାର ବିବାହ କଥା ଉଠାଉଥିବାରୁ ଡାକ୍ତର ପ୍ରଥମେ ମହିଳାଙ୍କ ଛାତିକୁ ଗୁଳି ମାରିବା ସହ ପରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ମୃତ ଡାକ୍ତର ବିବାହିତ ଥିବା ବେଳେ ତାଙ୍କର ଜଣେ ପୁଅ ଓ ଝିଅ ଥିବା ଜଣାପଡ଼ିଛି। ପୁଅ ବାହାର ରାଜ୍ୟରେ ଡାକ୍ତର ଥିବା ବେଳେ ଝିଅ ଦିଲ୍ଲୀର ଅନ୍ୟ ଏକ ସହରରେ ଡାକ୍ତର ଥିବା କହିଛି ପୁଲିସ। ବିବାହିତ ହୋଇଥିବାରୁ ମୃତ ଡାକ୍ତର ବିବାହ କରିବାକୁ ଚାହୁଁ ନଥିଲେ ଓ ରାଗରେ ଏଭଳି ପଦକ୍ଷେପ ନେଇଥିବା ନେଇ ସ୍ପଷ୍ଟ କରିଛି ପୁଲିସ।