ଚନ୍ଦକାରେ ଚାଞ୍ଚଲ୍ୟ: ପାଟିରେ ବନ୍ଧୁକ ପୂରାଇ ଧମକ, ୭ ଗିରଫ

ଖଣ୍ଡଗିରି/ବାରଙ୍ଗ: ପୂର୍ବଶତୃତାକୁ କେନ୍ଦ୍ର କରି ଗାଁ ଭିତରେ ପଶି ଜଣେ ଯୁବକଙ୍କ ପାଟିରେ ବନ୍ଧୁକ ପୂରାଇ ଧମକ ଦେବା ଅଭିଯୋଗରେ ଶନିବାର ଚନ୍ଦକା ଥାନା ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚନ୍ଦକା ଗାଁର ଶିବ କଲ୍ୟାଣ ବଡ଼ଜେନା(୧୯), ଦୁଇ ଭାଇ ରାକେଶ ମହାପାତ୍ର ଓରଫ୍ ଜଗା(୨୦) ଓ ରାଜେଶ ମହାପାତ୍ର ଓରଫ୍ ବଳିଆ(୧୯), ସୌରଭ ଭୋଇ(୧୯), ଚନ୍ଦନ ଭୋଇ(୧୯), ଅନନ୍ତ ବେହେରା(୧୯) ଓ ଦୁଷ୍ମନ୍ତ ବେହେରା(୧୯)। ପୁଲିସ ସେମାନଙ୍କଠାରୁ ଏକ ପୁରୁଣା ପିସ୍ତଲ(୯ଏମ୍‌ଏମ୍‌) ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଳ୍‌ ହାଜତକୁ ପଠାଇ ଦିଆଯାଇଛି। କମ୍ ବୟସର ଏହି ପିଲାମାନେ ପିସ୍ତଲ ଧରି ଅନ୍ୟ ଏକ ଗାଁରେ ପଶି ଧମକ ଚମକ ଦେବା ଭଳି ଏହି ଘଟଣାଟି ଚନ୍ଦକା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାନୁସାରେ ଶିବକଲ୍ୟାଣ ବଡ଼ଜେନା ଓ କୁଜିମହୁଲ ଗାଁର ରଜତ ବେହେରା ପୂର୍ବରୁ ସାଙ୍ଗ ଥିଲେ। ଭୋଜିଭାତଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ ସେମାନେ ମିଳିମିଶି କରୁଥିଲେ। କିନ୍ତୁ କୌଣସି କାରଣରୁ ଗତ କିଛି ଦିନ ଧରି ସେମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ରାଗ ଶୁଝାଇବାକୁ ଯାଇ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଶିବ କଲ୍ୟାଣ ଉପରୋକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ସାଙ୍ଗରେ ଧରି କୁଜିମହୁଲ ଗାଁକୁ ଯାଇଥିଲେ। ଗାଁ ଭିତରେ ରଜତଙ୍କୁ ଘରୁ ଡାକି ଆଣି ତାଙ୍କ ପାଟିରେ ପିସ୍ତଲ ପୂରାଇ ଦେଇଥିଲେ। ରଜତଙ୍କ ପାଟି ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ଶିବକଲ୍ୟାଣର ଗ୍ୟାଙ୍ଗକୁ କାବୁ କରିନେଇଥିଲେ। ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର