ଶିଶୁପାଳଗଡ଼-ନୂଆଗାଁ ଗୋଷ୍ଠୀ ସଂଘର୍ଷ: ୭ ଗିରଫ

ଗୋଷ୍ଠୀରୁ ଗାଁକୁ ବ୍ୟାପିଲାଣି ବିବାଦ

ଧଉଳି : ରବିବାର ସନ୍ଧ୍ୟାରେ ଶିଶୁପାଳଗଡ଼-ନୂଆଗାଁର ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଓ ଭଙ୍ଗାରୁଜା ମାମଲାରେ ଆଜି ଧଉଳି ଥାନା ପୁଲିସ ଉଭୟ ପକ୍ଷର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ନୂଆଗାଁର ୪ ଜଣ ଥିବା ବେଳେ ଅନ୍ୟ ୩ ଜଣ ଶିଶୁପାଳଗଡ଼ର। ଉଭୟ ପକ୍ଷଙ୍କ ଅଭିଯୋଗକୁ ଆଧାର କରି ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। ନୂଆଗାଁର ଗିରଫ ଯୁବକମାନେ ହେଲେ ହେଲେ ମାନସ ପ୍ରହରାଜ, କାଳୁ ସ୍ୱାଇଁ, ଜିତେନ୍ଦ୍ର ବାରିକ ଓ ପଦ୍ମନାଭ ନାୟକ। ସେହିପରି ଶିଶୁପାଳଗଡ଼ ଗୋଷ୍ଠୀରୁ ଅମିତା ପାଇକରାୟ, ସୁଶୀଳ ଛୁଆଳସିଂହ ଓ ଶୁଭମ୍‌ ପାଇକରାୟ ଗିରଫ ହୋଇଛନ୍ତି।

ଥାନାର ଜଣେ ଅଧିକାରୀଙ୍କ କହିବାନୁଯାୟୀ ନୂଆଗାଁ ବଜାର ଭିତରେ ପଶି ଆତଙ୍କରାଜ କରିବା ଘଟଣାରେ ଶିଶୁପାଳଗଡ଼ର ୩୦ରୁ ୩୫ ଜଣଙ୍କ ନାଁ ମାମଲା ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ନୂଆଗାଁର ୧୦ ରୁ ୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛ। ନୂଆଗାଁ ଭିତରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ରାତିରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଉତ୍ତେଜନା ଥମିବାର ନାଁ ଧରୁନି। ଅନ୍ୟପକ୍ଷରେ ଶିଶୁପାଳଗଡ଼ ପତିତପାବନ ଜିୟୁ ମନ୍ଦିର ପରିସରରେ ଆଜି ରାତିରେ ବହୁ ଗ୍ରାମବାସୀ ଏକ ହୋଇ ବୈଠକ କରିଥିବା ଖବର ମିଳିଛି। ସମାନ ଢଙ୍ଗରେ ନୁଆଗାଁବାସୀମାନେ ମଧ୍ୟ ବୈଠକ ଡକାଇ ଆଲୋଚନା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତ ଡିସିପି ପ୍ରାଣଧନ ମହାପାତ୍ରଙ୍କ ସହିତ ଦୁଇଜଣ ଏସିପି, ଧଉଳି ଥାନା, ଶ୍ରୀ ଲିଙ୍ଗରାଜ ଥାନା ଓ ବଡ଼ଗଡ଼ ଥାନା ପୁଲିସ ଅଡେରା ପକାଇ ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

ବିବାଦର ପୃଷ୍ଠଭୂମି

ଶିଶୁପାଳଗଡ଼ ଓ ନୂଆଗାଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ଠିକ୍‌ ନୂଆବର୍ଷ ପାଳନ ପୂର୍ବଦନ ଡିସେମ୍ବର ୩୧ ତାରିଖରେ। ଦୁଇଟି ଘଟଣାକୁ କେନ୍ଦ୍ର କରି ଭୀଷଣ ଗଣ୍ଡଗୋଳ ସାଙ୍ଗକୁ ସ୍କୁଟି ଭଙ୍ଗାରୁଜା ବି ହୋଇଥିଲା। ନୂଆଗାଁର କିଛି ଯୁବକଙ୍କ ସହିତ ମିଶି ଶିଶୁପାଳଗଡ଼ ଅଞ୍ଚଳର ପିଲା ଦିବ୍ୟନଗରରେ ଭୋଜି କରିବା ସହିତ ଡିଜେ ବଜାଇ ନୃତ୍ୟ କରୁଥିଲେ। ନାଚକୁଦ ବେଳେ ଏଠାକାର ଯୁବତୀଙ୍କୁ କେହି କମେଣ୍ଟ ମାରିଥିଲା। ବିଳମ୍ବିତ ରାତିରେ ଭୋଜିରେ ଉପସ୍ଥିତ ଥିବା ଶିଶୁପାଳଗଡ଼ର ପିଲାମାନେ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହାକୁ ବିରୋଧ କରି ସଂପୃକ୍ତ ଗୋଷ୍ଠୀଙ୍କୁ ମାଡ଼ ମାରିଥିଲେ ନୂଆଗାଁର କିଛି ଯୁବକ। ଜାନୁଆରି ୬ ତାରିଖରେ ପୁନର୍ବାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଶିଶୁପାଳଗଡ଼ର ପିଲାମାନେ ନୂଆଗାଁ ବଜାରରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଥିଲା। ୧୫ ତାରିଖରେ ତୃତୀୟଥର ଶିଶୁପାଳଗଡ଼ ପିଲାମାନେ ନୂଆଗାଁ ଭିତରେ ପଶି ମାର୍‌ପିଟ୍‌ କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ ସ୍କର୍ପିିଓ ଭଙ୍ଗାରୁଜା କରିବା ସହିତ ୩ ଅଭିଯୁକ୍ତଙ୍କୁ ନିର୍ଧୁମ ମାଡ଼ମାରି ଧଉଳି ଥାନା ଜିମା ଦେଇଥିଲେ। ଏହି ଘଟଣାର ଆପୋସ ସମାଧାନ ହୋଇଥିଲା।

ମାତ୍ର ତିନିଦିନ ପରେ ଅର୍ଥାତ ରବିବାର ରାତିରେ ନୂଆଗାଁରେ ପୁଣି ଉପରୋକ୍ତ ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ। ରାଜନୈତିକ ହସ୍ତକ୍ଷେପ ଣ୍ଡଗୋଳର ଅନ୍ତରାଳରେ ନିଅାଁରେ ଘିଅ ଢ଼ାଳିବା ଭଳି ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ନେତାଙ୍କ ଚାପରେ କମିସନରେଟ ପୁଲିସ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ମାମଲା ଭିନ୍ନ ମୋଡ଼ ନେଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରତି ଘଟଣାର ପ୍ରଚ୍ଛଦପଟରେ ରହି ଖଳନାୟକ ସାଜୁଥିବା ଅସଲ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ଥାନୀୟ ପୁଲିସ ପଛଘୁଞ୍ଚା ଦେଉଛି। ଅନ୍ୟପକ୍ଷରେ ପୁଲିସ ଅବହେଳାର ଫଳସ୍ୱରୂପ ଅଯଥା ସାଧାରଣ ଲୋକ ଏହି ପ୍ରଭାବଶାଳୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ରରେ ଆକ୍ରମଣର ଶିକାର ହେବା ସହ ଗତ କିଛିଦିନ ମଧ୍ୟରେ ସେମାନଙ୍କର ଲକ୍ଷଲକ୍ଷ ଟଙ୍କା ସମ୍ପତ୍ତିର କ୍ଷତି ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଦିଗରେ ଖୋଦ୍‌ ପୁଲିସ କମିସନର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର