୭ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଖଣ୍ତଗିରି ମେଳାରୁ ଧରାହେଲା ଡିଲର‌୍‌

କଟକ: ଖଣ୍ତଗିରି ମେଳାରୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଛି ବ୍ରାଉନ୍‌ ସୁଗାର ଡିଲର‌୍‌। ତା’ ନିକଟରୁ ପ୍ରାୟ ୫୪ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗିରଫ ଅଭିଯୁକ୍ତ ରାଜେଶ କୁମାର ସାହୁ(୨୦) ଖଣ୍ତଗିରି ଥାନା ଭରତପୁର ଅଞ୍ଚଳର। ସୂଚନା ଅନୁଯାୟୀ, ଖଣ୍ତଗିରି ଅଞ୍ଚଳର ରାଜେଶ ଦୀର୍ଘ ବର୍ଷ ହେବ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିଲା। ବାଲେଶ୍ବରର ଜଳେଶ୍ବର ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ବର ଏବ˚ କଟକରେ ବ୍ୟବସାୟ କରୁଥିଲା। ମୁଖ୍ୟତଃ ଖଣ୍ତଗିରି, ଜାଗମରା ଏବ˚ କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ବିକ୍ରି କରୁଥିବା ବିଭାଗର ଅଧିକାରୀ ଜାଣିବାକୁ ପାଇଛନ୍ତି। ବ୍ରାଉନ୍‌ ସୁଗାର ପୁଡ଼ିଆ ପିଛା ୪୦୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କୋଡ୍‌ ଵାର୍ଡ ‘ରସୁଣ’ ରଖାଯାଇଥିଲା। ଏହାଦ୍ବାରା ଅବକାରୀ ବିଭାଗ କିମ୍ବା ପୁଲିସ ସହଜରେ ଏହି କାରବାର ସମ୍ପର୍କରେ ସାମାନ୍ୟତମ ସୂଚନା ପାଇପାରୁ ନଥିଲା। ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିସନର୍‌ ରାମଚନ୍ଦ୍ର ପାଲ୍‌ଟାଙ୍କ ନିର୍ଦ୍ଦେଶକ୍ରମେ ଇନ୍‌ସ୍ପେକ୍ଟର ବୈଜୟନ୍ତି ପଣ୍ତା, ଜଗଦୀଶ ସାମଲ, ଗାଲୁରାମ ସୋରେନ୍‌, ଧନଞ୍ଜୟ ପାତ୍ର, କିଶୋର ରାଉତ, ରାମଚନ୍ଦ୍ର ଜେନା, ପ୍ରଦୀପ ବେହେରା, ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର