ନୂଆଦିଲ୍ଲୀ: ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ଏଭଳି ମାମଲାକୁ ହ୍ରାସ କରିବା ପାଇଁ କଡ଼ା ଆଇନ ବି ଜାରି କରିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ କାନପୁର ଦେହାତରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ସତ୍ତ୍ବେ ଖୋଲାଖୋଲି ବୁଲୁଛି। ପୁଲିସ ଚାହିଁ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁ ନାହିଁ। କାରଣ ଦୁଷ୍କର୍ମକାରୀର ବୟସ ମାତ୍ର ୭ ବର୍ଷ। ପଡ଼ିଶା ଘରର ଜଣେ ୭ ବର୍ଷର ବାଳକ ୫ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ପୀଡ଼ିତାର ମା’ ଅଭିଯୋଗ କରି କହିଛନ୍ତି।
ପୀଡ଼ିତା ମା’ଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି। କିନ୍ତୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେଥିପାଇଁ ପୁଲିସ ଆଇନର ଅପେକ୍ଷା କରିଛି। କାରଣ ୯ବର୍ଷରୁ କମ ବୟସର ପିଲା ଯଦି କୌଣସି ଅପରାଧ କରନ୍ତି ତେବେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି।
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କାନପୁର ଦେହାତ ଜିଲ୍ଲାର ଅକବରପୁର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ଗତ ସେପ୍ଟେମ୍ବର ୧୬ ତାରିଖରେ ଜଣେ ୫ବର୍ଷର ଝିଅ ଘର ସାମ୍ନାରେ ଖେଳୁଥିଲା। ଏହି ସମୟରେ ପଡ଼ିଶାରେ ରହୁଥିବା ଜଣେ ୭ବର୍ଷର ବାଳକ ତାକୁ ଖେଳିବାକୁ କହି ତାକୁ ଘରକୁ ନେଇ ଯାଇଥିଲା। ଆଉ ତା’ ସହିତ ଦୁଷ୍କର୍ମ କରିଥିଲା।
ଝିଅଟି ଘରକୁ ଆସିବା ପରେ ପୋଷାକରେ ରକ୍ତ ଦାଗ ଲାଗିଥିବା ମା’ ଦେଖିବାକୁ ପାଇଥିଲେ। ତେଣୁ କ’ଣ ହୋଇଛି ବୋଲି ପଚାରିଥିଲେ। ଝିଅ ସବୁକିଛି ମା’ ସାମ୍ନାରେ ସ୍ପଷ୍ଟ ଭାବେ ବଖାଣି କହିଥିଲା, ମା’ ପଡ଼ିଶା ଘରେ ରହୁଥିବା ପିଲା ମୋ ସହ ଖରାପ କାମ କରିଛି। ମୋତେ କଷ୍ଟ ହେଉଛି। ଡାକ୍ତର ଅଙ୍କଲ ପାଖକୁ ନେଇଯାଆ।’
ଏହାପରେ ପୀଡ଼ିତାଙ୍କ ମା’ ଏନେଇ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ପୀଡିତା ଶିଶୁକୁ ଡାକ୍ତରିମାଇନା ପାଇଁ ପଠାଇ ଦେଇଛି।