ସ୍କୁଲ ପରିସରରେ ୭ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ବାପାକୁ ସନ୍ଦେହ କରୁଛି ପୁଲିସ

ଆଗ୍ରା: ଆଗ୍ରା ଜିଲ୍ଲାରେ ଏତମାଦପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସାତବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯିବା ନେଇ ସ୍ଥାନୀୟ ଲୋକେ ଶନିବାର ପୁଲିସରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଝିଅର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, କେହିଜଣେ ଶୁକ୍ରବାର ଓ ଶନିବାର ମଧ୍ୟରାତିରେ ରେସ୍‌ମା (ଛଦ୍ମନାମ)କୁ ଏତମାଦପୁର ଅଞ୍ଚଳରେ ଥିବା ଏକ ପ୍ରାଥମିକ ସ୍କୁଲ ପରିସରରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏଯାବତ୍‌ ଘଟଣାର ସତ୍ୟତା କ’ଣ ତାହା ଜଣାପଡ଼ି ନାହିଁ। ଏହି ଘଟଣାରେ ମୃତ ରେସ୍‌ମାର ପିତା ସମ୍ପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ରେସ୍‌ମା ତାଙ୍କ ପିତାଙ୍କ ସହିତ ଇତମାଦପୁରରେ ଏକ ତମ୍ବୁ ତଳେ ତାଙ୍କର ୯ବର୍ଷର ଭାଇ ସହିତ ରହୁଥିଲେ। ରେସ୍‌ମା ଜନ୍ମ ହେବାର ଗୋଟିଏ ବର୍ଷ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ତମ୍ବୁରେ ଶୋଇଥିବା ରେସ୍‌ମା ମା’ଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି।

ପୁଲିସ ଉପାଧ୍ୟକ୍ଷକ ଅଖିଳେଶ ନାରାୟଣ ସିଂହଙ୍କ କହିବାନୁସାରେ, ପୀଡତାଙ୍କ ଶବ ଉଦ୍ଧାର କଲା ବେଳକୁ ତାଙ୍କ ଶରୀରରେ କୌଣସି ପୋଷାକ ନଥିଲା, ପେଟ ପାଖରେ ରକ୍ତ ଜୁଡ଼ୁବୁଡୁ ହୋଇଥିଲା। ଏହି ପରିସ୍ଥିତରୁ ରେସ୍‌ମାଙ୍କ ସହ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏଯାବତ୍‌ କୌଣସି ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ଅପରାଧିକୁ ଗିରଫ କରିବା ପୂର୍ବରୁ ଆମେ କିଛି ପ୍ରମାଣ ଏକାଠି କରୁଛୁ ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର