ଓଡ଼ିଶା ନମ୍ବର ଥିବା ଗାଡ଼ିରୁ ୬୦ କେଜି ଗଞ୍ଜେଇ ଜବତ

କୋଲକାତା : ନାଲିବତୀ ଜଳୁଛି, ଭାରତ ସରକାରଙ୍କ ଅଶୋକ ସ୍ତମ୍ଭ ଲାଗିଛି, ଓଡ଼ିଶା ନମ୍ବର ଥିବା ଇଣ୍ଡିକା କାର୍‌ ଭିତରେ ଗଞ୍ଜେଇ ଭର୍ତ୍ତି। କଷ୍ଟମ୍‌ସ ବିଭାଗ ଅଧିକାରୀମାନେ ବାଗବଜାରର ଗାଲିଫ୍‌ ଷ୍ଟ୍ରୀଟ୍‌ରେ ଏହି ଗାଡ଼ିଟିକୁ ଧରିବାରେ ସମର୍ଥ ହୋଇଥିଲେ। ଚତୁରତାର ସହ ଡ୍ରାଇଭର ଖସି ପଳାଇବାକୁ ସମର୍ଥ ହୋଇଥିବାବେଳେ ଅଧିକାରୀମାନେ ୬୦ କେଜି ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରିଛନ୍ତି। ଘଟଣାଟି ଘଟିଛି ମଙ୍ଗଳବାର ରାତିରେ।

କୌଣସି ସୂତ୍ରରୁ ଖବର ପାଇ ଶୁଳ୍କ ବିଭାଗ ଅଧିକାରୀମାଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ କଡ଼ା ନଜର ରଖିଥିଲେ। ଓଡି୩୪ଏ୮୬୫୨ ନମ୍ବର ଥିବା ଏକ ଇଣ୍ଡିକା କାର୍‌ରେ ନାଲିବତୀ ଜଳୁଥିଲା ଏବଂ ଆଗରେ ଅଶୋକସ୍ତମ୍ଭ ବି ଥିଲା। ସନ୍ଦେହ ହେବାରୁ ଗାଡ଼ିଟିର ପିଛା କରିଥିଲେ ସେମାନେ। ଗାଲିଫ ଷ୍ଟ୍ରୀଟ୍‌ରେ ଗାଡ଼ିଟିକୁ ଅଟକାଇଥିଲେ। ଡ୍ରାଇଭର ଖସି ପଳାଇଥିଲା। ଗାନିର ଡିକି ଭିତରେ ୧୩ ବସ୍ତା ଗଞ୍ଜେଇ ଥିଲା। ଗଞ୍ଜେଇ ଗନ୍ଧ ନହେବା ପାଇଁ ଭିତରେ କିଛି ଓଡନିଲ ପକା ଯାଇଥିଲା। ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରାଯାଇଛି। ଓଡ଼ିଶାର ମାଲକାନାଗିରିରୁ ଏହି ଗଞ୍ଜେଇ ଆସିଥିବା ଅନୁମାନ କରାଯାଉଛି। ବାଟରେ କେଉଁଠି ଏହାକୁ ରଖାଯିବା ପରେ ମଙ୍ଗଳବାର ବନଗାଁ ଯାଉଥିବାବେଳେ ଧରାପଡ଼ିଛି। ତେବେ ଗତ ମାସରେ ଭୁବନେଶ୍ୱର ଖଣ୍ଡଗିରି ଛକରେ ଡିଆରଆଇ ଅଧିକାରୀମାନେ ୧,୨୦୦ କେଜି ଜବତ କରିଥିଲେ। ଏକା ର‍୍ୟାକେଟ୍‌ ଏହି ଗଞ୍ଜେଇ ଚାଲାଣ କରୁଛି କି ନା ଶୁଳ୍କ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର