୭୦ବର୍ଷରେ ଦ୍ଵିତୀୟ ବିବାହ କରିବାର ଇଚ୍ଛା ହେଲା କାଳ,ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଓ ସୁନା ଗହଣା ନେଇ ଫେରାର ହେଲା କନ୍ୟା

ମୁମ୍ବାଇ: ମୁମ୍ବାଇରେ ରହୁଥିବା ଜଣେ ୭୦ବର୍ଷର ବୃଦ୍ଧ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା କରିବା ଏବଂ ପରେ ଠକାମିର ଶିକାର ହୋଇ ହୃଦଘାତର ଶିକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଘଟଣାଟି ୨୦୧୯ରେ ଘଟିଥିଲେ ମଧ୍ୟ ବୃଦ୍ଧ ଏବେ ନିଜ ସହ ଘଟିଥିବା ଘଟଣାର ଅଭିଯୋଗ ପୁଲିସ ଆଗରେ କରିଛନ୍ତି |

ସୂଚନା ମୁତାବକ, ଫେବୃଆରୀ ୨୦୧୮ରେ ବୃଦ୍ଧଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା | ନିଜ ବନ୍ଧୁଙ୍କ କଥା ମାନି ପୀଡିତ ଦ୍ଵିତୀୟ ବିବାହ ପାଇଁ ରାଜି ହୋଇଥିଲେ | କିଛି ଦିନ ପରେ ତାଙ୍କ ବନ୍ଧୁ ସ୍ୱାମୀକୁ ଛାଡପତ୍ର ଦେଇଥିବା ଜଣେ ମହିଳାଙ୍କୁ ବିବାହ ପାଇଁ ବୃଦ୍ଧଙ୍କୁ ପ୍ରସ୍ତାବ ଦେଇଥିଲେ, ଯାହାର ଜଣେ ୨୧ ବର୍ଷର ଝିଅ ମଧ୍ୟ ଥିଲା | ବୃଦ୍ଧ ରାଜି ହେବା ପରେ ମହିଳାଙ୍କୁ ଭେଟିଥିଲେ | ବିବାହ ତାରିଖ ଧାର୍ଯ୍ୟ କରିବା ପାଇଁ ମୋ ପରିବାର ମୁମ୍ବାଇ ଆସିବେ ବୋଲି ମହିଳାଜଣକ କହିବାରୁ ବୃଦ୍ଧ ସେଥିରେ ହଁ ଭରିଥିଲେ | ମହିଳାଙ୍କ ପୁରା ପରିବାର ମୁମ୍ବାଇରେ ପହଞ୍ଚିବା ପରେ ବିଶ୍ୱାସ କରି ବୃଦ୍ଧ ତାଙ୍କୁ ନିଜ ଘରର ଚାବି ଧରାଇ ଦେଇଥିଲେ | ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ ମହିଳା ଜୟପୁରରେ ରେଜିଷ୍ଟ୍ରି ବିବାହ କରିବେ ବୋଲି କହିଥିଲେ | ମହିଳାଙ୍କ କଥା ମାନି ବୃଦ୍ଧ ଜୟପୁର ଯାଇଥିଲେ ମଧ୍ୟ ସେମାନଙ୍କୁ ରେଜିଷ୍ଟ୍ରି ବିବାହ ପାଇଁ ୩୦ଦିନ ପରେ ଆସିବାକୁ କୁହାଯାଇଥିଲା |

Mumbai man duped by prospective bride [Representative image]
timesnownews
ଏହା ଜାଣି ଜୟପୁରରେ ନରହି ବୃଦ୍ଧ ମୁମ୍ବାଇ ଚାଲିଆସିଥିଲେ | କିନ୍ତୁ ସେତବେଳକୁ ସବୁ ସରିଯାଇଥିଲା | ମହିଳା ଜୟପୁର ଯିବା ପୂର୍ବରୁ ବୃଦ୍ଧଙ୍କ ସମ୍ପତ୍ତିର କାଗଜପତ୍ର ଏବଂ ସୁନାଗହଣା ନେଇ ଚମ୍ପଟ ମାରିଥିଲେ | ପୁରା ଘଟଣା ଜାଣିବା ପରେ ବୃଦ୍ଧ ଜୟପୁର ଯାଇ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା | ପରେ ସେ ଚାପଗ୍ରସ୍ତ ହୋଇଯିବା ସହ ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା | ଚିକିତ୍ସା ପରେ ସେ ସୁସ୍ଥ ହୋଇ ଜୟପୁରରୁ ମୁମ୍ବାଇ ଫେରିଥିଲେ | କିନ୍ତୁ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଘଟଣା ବିଷୟରେ ସୂଚନା ପାଇ ଏବେ ପୁଲିସ ବୃଦ୍ଧଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର