ଚାକିରି କରାଇ ଦେବାକୁ କହି ୭୦ ହଜାର ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଏକ ଘରୋଇ ଫାଇନାନ୍ସ କମ୍ପାନିରେ ଚାକିରି କରାଇ ଦେବାକୁ କହି ୭୦ ହଜାର ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ଅକ୍ଷୟ କୁମାର ଜେନା। ଘର ଢେଙ୍କାନାଳ ଜିଲ୍ଲା ଭୁବ‌ନ ଥାନା ଅଧୀନ ରାମକୃଷ୍ଣପୁରରେ। ଏଠାରେ ସେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍-୫ରେ ଭଡ଼ାରେ ରହେ। ଆଜି ତାକୁ ପୁଲିସ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ, ଫୁଲବାଣୀର ରାଜା ମହାନନ୍ଦ ନାମକ ଜଣେ ଯୁବକ ଚାକିରି ଅନ୍ବେଷଣରେ ଅକ୍ଷୟଙ୍କୁ ଯୋଗାଯୋଗ କରିଥିଲେ। ଚା‌କିରି ପାଇବାକୁ ହେଲେ ତୁରନ୍ତ ଏକ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଆସିବାକୁ ଅକ୍ଷୟ କହିଥିଲା। ରାଜା ଗାଁରେ ସୁନା ଓ ଜମି ବନ୍ଧା ପକାଇ ଏକ ବୋଲେରୋ ଯୋଗେ ୭୦ ହଜାର ଟଙ୍କା ଧରି ଭୁବନେଶ୍ବର ପହଞ୍ଚିଥିଲେ। ଠକ ଅକ୍ଷୟ ତାଙ୍କୁ ନାବାର୍ଡ ପାଖକୁ ଡକାଇ ୭୦ ହଜାର ଟଙ୍କା ନେବା ସହ ତା’ ରୁମ୍‌କୁ ନେଇ ଯାଇଥିଲା। ସେଠାରେ ରାଜାଙ୍କୁ ଘର ଭିତରେ ଭର୍ତି କରି ଆଉ ୩୦ ହଜାର ଟଙ୍କା ଆଣିବାକୁ ଧମକ ଦେଇଥିଲା। ତେବେ ରାଜା ଚାଲାକ କରି ପୁଲିସ କ‌‌େଣ୍ଟ୍ରାଲ ରୁମ୍‌କୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜାଙ୍କୁ ଉଦ୍ଧାର କରିବା ସହିତ ଅକ୍ଷୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର