ଲଜ୍ଜା: ୭୫ ବର୍ଷ ବୟସ୍କା ବୃଦ୍ଧା ଭିକାରୁଣୀଙ୍କୁ ଦୁଷ୍କର୍ମ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଘଟିଥିବା ଏକ ଲଜ୍ଜା ଜନକ ଜଘନ୍ୟ ଅପରାଧ ଅମାନବିକତାର ସମସ୍ତ ସୀମା ସରହଦକୁ ପାର କରି ଯାଇଛି। ଅହମ୍ମଦାବାଦର ନ୍ୟୁ ରନିପ୍‌ ଅଞ୍ଚଳରେ ଗତ ରବିବାର ବିଳମ୍ବିତ ରାତିରେ କେହି ଜଣେ ଅଜ୍ଞାତ ଦୁଷ୍କର୍ମକାରୀ, ଗୋଟିଏ ଗୋଡ଼ ନଥିବା ଜନୈକା ୭୫ ବର୍ଷ ବୟସ୍କା ବୃଦ୍ଧା ଭିକାରୁଣୀ ସହ ଦୁଷ୍କର୍ମ କରିବା ପରେ ତାକୁ ଚେତାଶୂନ୍ୟ, ଦରମରା ଅବସ୍ଥାରେ ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ସୋମବାର ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକେ ବୃଦ୍ଧା ଭିକାରୁଣୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବା ପରେ ପୁଲିସ୍‌କୁ ଖବର ଦେବା ସହ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସିଭିଲ୍‌ ହସ୍ପିଟାଲକୁ ପଠାଇଥିଲେ। ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ରେ ପ୍ରକାଶ କାଇଥିବା ରିପୋର୍ଟ ଅନୁଯାୟୀ ଚିକିତ୍ସା ପରେ ଦୁଷ୍କର୍ମର ଶିକାର ହୋଇଥିବା ବୃଦ୍ଧା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

ଅନ୍ୟ ପକ୍ଷରେ ଏହି ଘଟଣାର ତଦନ୍ତ କରୁଥିବା ଚାଣ୍ଡଖେଡ଼ା ଥାନା ପୁଲିସ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ ବଡ଼ଗାମ ତାଲୁକାର ଏହି ୭୫ ବର୍ଷ ବୟସ୍କା ବୃଦ୍ଧା ଜଣକ ତାଙ୍କର ଗୋଟିଏ ଗୋଟିଏ ଗୋଡ଼ ହରାଇବା ପରେ ଭିକ୍ଷାବୃତ୍ତି କରି ଚଳୁଥିଲେ। ତେବେ, ତାଙ୍କ ସହ ଏହି ଅଘଟଣ ଘଟିବା ପରେ ସେ ଏତେ ମାତ୍ରାରେ ଭୟଭୀତ ହୋଇ ପଡ଼ିଛନ୍ତି ଯେ ଘଟଣା ସଂପର୍କରେ କିଛି ବି ହେଲେ କହି ପାରୁ ନାହାନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଯାଇ ତାଙ୍କ ଠାରୁ ଘଟଣା ସଂପର୍କରେ ଯାହାକିଛି ଜଣାପଡ଼ିବ। ତଥାପି ଆମେ ଘଟଣାସ୍ଥଳକୁ ଫୋରେନ୍‌ସିକ୍‌ ଟିମ୍‌କୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛୁ। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଖୁବ୍‌ଶୀଘ୍ର ଗିରଫ କରିବୁ ବୋଲି କହିଛନ୍ତି ଚାଣ୍ଡଖେଡ଼ା ଥାନା ଇନସ୍‌ପେକ୍ଟର ଆରଏଚ୍‌ ଭାଲ୍ଲା।

ସମ୍ବନ୍ଧିତ ଖବର