ଖଣ୍ଡଗିରି: ସାଲିଆସାହିରୁ ପୁଣି ଠାବ ହୋଇଛି ୩ଟି ଚୋରା ଦେଶୀ ମଦଭାଟି। ଏହି ବେଆଇନ୍ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅବକାରୀ ବଭାଗ ୪ ମହିଳାଙ୍କ ସମତେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସାଲିଆସାହି ନୀଳଚକ୍ରନଗରର ସାରା ସୋରେନ୍, ଦୁଲାରି ଟୁଡୁ, ଦୁର୍ଗା ହେମ୍ବ୍ରମ୍, ପୁଷ୍ପାଞ୍ଜଳି ନାୟକ, ଚନ୍ଦ୍ରମୋହନ ମାରାଣ୍ଡି, ବରିସଲ ହାଂସଦା, ସୁରେନ୍ଦ୍ର ମାରାଣ୍ଡି ଓ ସିନିଗା ହେମ୍ବ୍ରମ୍। ସେମାନଙ୍କଠାରୁ ୨୦୦ ଲିଟର ରନ୍ଧା ମଦ ଓ ୬ ହଜାର କେଜିର ପୋଚ ଜବତ କରାଯାଇଛି। ଜବତ ମଦ ଓ ପୋଚର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥିରେ ମହୁଲି, ଚାଉଳି ଓ ପିଡ଼ିଆ ପୋଚ ରହିଛି। ସେହିଭଳି ପୋଚ ପ୍ରସ୍ତୁତି ଓ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ବଡ଼ ବଡ଼ ଡେକ୍ଚି, କଡ଼େଇ, ଡ୍ରମ୍ ଏବଂ ଜେରିକେନ୍ ଆଦି ବିପୁଳ ପରିମାଣରେ ଜବତ କରାଯାଇଛି। ସୂଚନାନୁସାରେ ଅବକାରୀ ବିଭାଗର କଟକ ଫ୍ଲାଇଂ ସ୍କ୍ବାଡ୍ ଓ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଏହି ଅପରେସନ୍ କରାଯାଇଥିଲା। ମାତ୍ର କୌଣସି ସୂତ୍ରରୁ ଖବର ପାଇ ମାଫିଆମାନେ ଖସି ପଳାଇଥିଲେ। ତେବେ ମଦ ଭାଟିରୁ ଧରାପଡ଼ିଯାଇଥିଲେ ୪ ମହିଳା। ସେହିଭଳି ନିକଟସ୍ଥ ଇଡ୍କୋ ବସ୍ତି ଓ ଲକ୍ଷ୍ମୀନଗରରୁ ଆଉ ଦୁଇଟି ଭାଟି ଠାବ କରାଯାଇଥିଲା ଓ ସେଠାରୁ ୪ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ଉରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଫ୍ଲାଇଂ ସ୍କ୍ବାଡ୍ ଆଇଆଇସି ଶରତଚନ୍ଦ୍ର ଭଂଜ, ଭୁବନେଶ୍ବର ଅବକାରୀ ବିଭାଗର ହୃଦୟ ବଲ୍ଲଭ ସାମନ୍ତ, ମଧୁସୂଦନ ସାହୁ, ସୁଜିତ୍ ମୁଦୁଲି, କମଳ ଲୋଚନ ପାଇକରାୟ, ହିତାଂଶୁ ମଲ୍ଲିକ ଓ ଅନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇରୁ ଆଜି ପର୍ଯ୍ୟନ୍ତ କେବଳ ସାଲିଆସାହିରୁ ଛୋଟବଡ଼ ହୋଇ ମୋଟ୍ ୬ଟି ମଦଭାଟି ଠାବ କରାଯାଇଛି ଏବଂ ୨୪ ଜଣଙ୍କୁ ଗିରଫ କରାଯାଇଛି। ଜୁଲାଇ ମାସରେ ନୀଳଚକ୍ରନଗରରୁ ଏକ ବଡ଼ ଭାଟି ଜବତ କରାଯାଇଥିଲା ଓ ୪ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଉକ୍ତ ଭାଟିର ମାଲିକ ଜଡ଼ା ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲା। ସେହିଭଳି ସେପ୍ଟେମ୍ବର ମାସରେ ପୁଣି ନୀଳଚକ୍ରନଗରରୁ ଆଉ ଏକ ଭାଟି ଠାବ କରାଯାଇ ସେଠାରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ସେହି ମାସରେ ଚୁନୁକୋଳି ବସ୍ତିରୁ ଠାବ ହୋଇଥିବା ବଡ଼ ଭାଟି ଆଧୁନିକ ପ୍ରଣାଳୀରେ(ଆସ୍କା-୪୦ ପ୍ରସ୍ତୁତି ଢାଞ୍ଚା) ଏଠାରେ ମଦ ପ୍ରସ୍ତୁତ ହେଉଥିଲା। ପ୍ରାୟ ୪ ଲକ୍ଷ ଟଙ୍କାର ପୋଚ ଜବତ ହୋଇଥିଲା ଓ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସୂଚନାନୁସାରେ ଏହି ସବୁ ଅଞ୍ଚଳରେ ପ୍ରାୟ ୮୦ ଭାଗ ଶ୍ରମିକ ଶ୍ରେଣୀୟ ଲୋକ ମହୁଲି, ଚାଉଳି ଓ ପିଡ଼ିଆ ମଦ ପିଉଛନ୍ତି। ଏହାର ଦାମ୍ କମ୍ ଓ ଅଧିକ ନିଶା ହେଉଥିବାରୁ ଏହି ମଦର ଚାହିଦା ରହିଛି। ଏହାର ସୁଯୋଗ ନେଇ ବାରିପଦାରୁ ଅଞ୍ଚଳରୁ ମାଫିଆମାନେ ଏଠାକୁ ମହୁଲ ଚାଲାଣ କରୁଛନ୍ତି।
ସାଲିଆସାହିରୁ ପୁଣି ୩ ମଦଭାଟି ଠାବ, ୮ ଗିରଫ
/sambad/media/post_attachments/wp-content/uploads/2018/12/Untitled-20-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)