ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଜଣେ ୧୯ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହେବା ପରେ ଅଭିଯୋଗ ନେଇ ଥାନାରେ ପହଞ୍ଚିବାରୁ ତାଙ୍କୁ ପୁଲିସ୍ ତାତ୍ସଲ୍ୟ କରିଥିବା ଖବର ନିହାତି ଲଜ୍ଜାଜନକ। ନ୍ୟାୟ ପାଇବା ଭରସାରେ ଥାନାରେ ପହଞ୍ଚିଥିବା ଯୁବତୀ ଜଣକକୁ ପୁଲିସ୍ କହିଥିଲା ପୀଡ଼ିତା କୁଆଡ଼େ ଚଳଚ୍ଚିତ୍ରର କାହାଣୀ କହୁଛନ୍ତି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସଂପୂର୍ଣ୍ଣ ମାମଲା ପଦାକୁ ଆସିଥିଲା। ପୀଡ଼ିତାଙ୍କୁ ତାତ୍ସଲ୍ୟ କରିଥିବା ୮ ଜଣ ପୁଲିସ୍ ଇତିମଧ୍ୟରେ ନିଲମ୍ବିତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରେ ଥାନା ପ୍ରଭାରୀ ମୋହିତ ସକ୍ସେନା ମଧ୍ୟ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶର ରେଳବାଇ ପୁଲିସ୍ ଫୋର୍ସ(ଆର୍ପିଏଫ୍) କର୍ମଚାରୀଙ୍କ କନ୍ୟାଙ୍କୁ ମଙ୍ଗଳବାର ୪ ଜଣ ଦୁର୍ବୃତ୍ତ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭୋପାଳର ହବିବଗଞ୍ଜ ରେଳବାଇ ଷ୍ଟେସନ୍ରୁ ପୀଡ଼ିତାଙ୍କ ଅପହରଣ ପରେ ଏପରି ଘଟିଛି। ଦୁର୍ବୃତ୍ତମାନେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ପଥରରେ ଆଘାତ ଦେଇ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ନାଳକୁ ଫିଙ୍ଗି ଦେଇଥିବା ଜାଣିବାକୁ ମିଳିଛି।
ପ୍ରତିଦିନ ପରି ମଙ୍ଗଳବାର ସଂଧ୍ୟାରେ ଯୁବତୀଙ୍କ କ୍ଲାସ ସରିବା ପରେ ଘରକୁ ଫେରିବା ବାଟରେ ଗୋଲୁ ବିହାରି ନାମକ ଜଣେ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିଲା। ତା’ପରେ ଗୋଲୁ ଅନ୍ୟ ତିନି ଜଣଙ୍କ ସହ ମିଶି ଯୁବତୀଙ୍କୁ ଲଗାତର ୩ ଘଣ୍ଟା ଗଣଦୁଷ୍କର୍ମ କରିଥିଲା। ଗୋଲୁ ବିହାରି ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧୀକ ମାମଲା ରହିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କୁ ୪ ଜଣ ଦୁର୍ବୃତ୍ତ ମିଶି ଦୁଷ୍କର୍ମ କରିଛନ୍ତି।
ପୀଡ଼ିତା ଜଣକ ଅଭିଯୋଗ ଲେଖାଇବାକୁ ଥାନାକୁ ଗଲାବେଳେ ସେ ଏକ ଚଳଚ୍ଚିତ୍ର କାହାଣୀ ଧରି ସାମ୍ନାକୁ ଆସିଛନ୍ତି ବୋଲି ରେଳବାଇ ପୁଲିସ୍ ତାତ୍ସଲ୍ୟ କରି କହିଥିବା ପୀଡ଼ିତା ଫେରାଦ ହୋଇଛନ୍ତି। ଫଳରେ ତାଙ୍କୁ ଅଭିଯୋଗ ନେଇ ୩ଟି ପୁଲିସ୍ ଷ୍ଟେସନ୍ ଯିବାକୁ ପଡ଼ିଥିବା କଥା ସେ କହିଥିଲେ।