ସାଲିଆସାହିରୁ ପୁଣି ୫ ମଦ ଭାଟି ଠାବ, ୯ ଗିରଫ, ଢଳା ହେଲା ୧୬ ହଜାର ଲିଟର ପୋଚ

ଖଣ୍ଡଗିରି: ରାଜଧାନୀ‌ରେ ଦେଶୀମଦ ଶିଳ୍ପାଞ୍ଚଳ ଭାବେ ପରିଚିତ ସାଲିଆସାହିରୁ ପୁଣି ଠାବ ହୋଇଛି ୫ ମିନି ମଦଭାଟି। ଶନିବାର ସକାଳୁ ସକାଳୁ ଅବକାରୀ ବିଭାଗ ଏଠାରେ ଚଢ଼ଉ କରି ପ୍ରାୟ ୧୬ହଜାର ଲିଟର ମଦ ଓ ପୋଚ (ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା) ନଷ୍ଟ କରିବା ସହ ମଦ ରାନ୍ଧୁଥିବା ଅଭିଯୋଗରେ ୭ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦା ମାରାଣ୍ଡି, ପୁଙ୍ଗୁ ହାଂସଦା, ଲିକା ଟୁଡୁ, ଶୁକଲତା ମୁର୍ମୁ, ରାଣୀ କିସ୍କୁ, ସୁହାଗମଣି ମୁର୍ମୁ, ମାଳତୀ ଛଲାର, ନମି ମୁଣ୍ଡା, ପାହାଳ ମାରାଣ୍ଡି। ଏମାନେ ମୟୂରଭଞ୍ଜର ମୂଳବାସିନ୍ଦା ଓ ସାଲିଆସାହି ନୀଳଚକ୍ରନଗର, ଘୁଷୁରି ସାହି, ଇଡ୍‌କୋ ବସ୍ତି ଓ ଲୟଲା ସାହିରେ ରହୁଛନ୍ତି। କଟକ ଫ୍ଲାଇଂ ସ୍କ୍ବାଡ୍, ଖୋର୍ଧା ଜିଲ୍ଲା ଅବକାରୀ ବିଭାଗ ଓ ନୂଆପଲ୍ଲୀ ଥାନା ପୁଲିସର ମିଳିତ ଟିମ୍‌ ଆଜି ଭୋର୍ ସମୟରେ ଚଢ଼ଉ କରିବା ବେଳେ ଅଧାଗଢ଼ା ଘର ଭିତରେ ଥିବା ୫ଟି ଭାଟି ଠାବ କରିଥିଲା। ବଡ଼ ବଡ଼ ହାଣ୍ଡିରେ ପୋଚ ଓ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଗୁଡ଼ ପୋଚ ରହିଥିଲା। ପ୍ରାୟ ଦେଢ଼ ହଜାର ଲିଟର ରନ୍ଧା ମଦ ଓ ପ୍ରାୟ ସାଢ଼େ ୧୪ହଜାର ଲିଟର ପୋଚକୁ ଅବକାରୀ କର୍ମୀମାନେ ରାସ୍ତାରେ ଢାଳି ଦେଇଥିଲେ। ପୋଚ ଭର୍ତି ମାଟି ହାଣ୍ଡିଗୁଡ଼ିକୁ ବାଡ଼େଇ ଭାଙ୍ଗି ଦେବା ସହ ପ୍ଲାଷ୍ଟିକ୍ ଡ୍ରମ ସବୁକୁ ଶାବଳ ମାରି କଣା କରିଦେବାରୁ ରାସ୍ତାରେ ପୋଚର ବନ୍ୟା ସୃଷ୍ଟି ହୋଇଥିଲା। ଗତ ୧୬ ତାରିଖ ଦିନ ଏହି ଅଞ୍ଚଳରେ ଚଢ଼ଉ କରାଯାଇ ୫ଟି ମିନି ଭାଟି ଠାବ କରାଯାଇଥିଲା ଓ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେତେବେଳେ ପ୍ରାୟ ୨୫ହଜାର ଲିଟର ପୋଚ ନଷ୍ଟ କରାଯାଇଥିଲା। ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶକ୍ରମେ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ କଟକ ଫ୍ଲାଇଂ ସ୍କ୍ବାଡ୍‌ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, ଭୁବନେଶ୍ବର ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍ଆଇ କମଳଲୋଚନ ପାଇକରାୟ, ହୃଦୟଚନ୍ଦ୍ର ସାମନ୍ତ, ସୁଜିତ୍ ମୁଦୁଲି ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳରେ ଘରେ ଘରେ ମଦ ରନ୍ଧା କୁଟୀର ଶିଳ୍ପ ପାଲଟି ଯାଇଛି।

ସମ୍ବନ୍ଧିତ ଖବର