ମୁମ୍ବାଇ: ମୁମ୍ବାଇର ଘାଟକୋପାର ସ୍କୁଲ୍ର ଜଣେ ଛାତ୍ର ଆଖିରେ ଅନ୍ୟ ଜଣେ ଛାତ୍ର ପେନ୍ସିଲ୍ କେଞ୍ଚି ଦେବା ହେତୁ ଛାତ୍ରଟି ନିଜ ଦୃଷ୍ଟି ଶକ୍ତି ହରାଇଛି ବୋଲି ଜାଣିବା ପରେ ପିଲାଟିର ଅଭିଭାବକ ଘଟଣା ଘଟିବାର ବର୍ଷେ ପରେ ଅଭିଯୋଗ ଆଣିଛନ୍ତି। ୨୦୧୮ ମସିହାରେ ଏହି ଘଟଣା ଘଟିଥିଲା। ପୀଡ଼ିତ ଛାତ୍ରର ବାପାମାଆ ନିକଟରେ ପୁଲିସ୍ରେ ଅଭିଯୋଗ ଆଣିଛନ୍ତି।
ଅଭିଭାବକ ଆଣିଥିବା ଅଭିଯୋଗ ମୁତାବକ, ୨୦୧୮ ମସିହା ଜୁଲାଇ ମାସ ୨୧ ତାରିଖ ସକାଳ ପ୍ରାୟ ୭.୧୫ ସମୟରେ ତାଙ୍କ ପୁଅର ଜଣେ ଶ୍ରେଣୀ ପିଲା ତାଙ୍କ ପୁଅ ଆଖିରେ ପେନ୍ସିଲ୍ କେଞ୍ଚି ଦେଇଥିଲା। ସେତେବଳେ ସେ ନିଜ ପୁଅ ଦୃଷ୍ଟିଶକ୍ତି ହରାଇଥିବା କଥା ସେ ଜାଣି ପରିନଥିଲେ। ପୁଅର ଦୃଷ୍ଟିଶକ୍ତି ହଜିଥିବା କଥା ଜାଣିବା ପରେ ପୁଲିସ୍ରେ ଅଭିଯୋଗ ଆଣିଛନ୍ତି।
ଶ୍ରେଣୀ ଭିତରେ ଶିକ୍ଷକ ନଥିବା ଅବସ୍ଥାରେ ଏପରି ଘଟିଥିଲା। ଏହି ଘଟଣାକୁ ପ୍ରିନ୍ସିପାଲ କକ୍ଷ ବାହାରୁ ଦେଖିଥିଲେ ବୋଲି ଅଭିଭାବକ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି। ଇତିମଧ୍ୟରେ ପିଲାଟିର ୩ଟି ସର୍ଜରି ହୋଇ ସାରିଲାଣି ମାତ୍ର ସେ ଦେଖିବାରେ ସମର୍ଥ ହୋଇପାରୁ ନାହିଁ। ଏଥିପାଇଁ ୨ ଲକ୍ଷରୁ ଊର୍ଧ୍ୱ ଟଙ୍କା ଖର୍ଚ ହୋଇ ସାରିଥିଲେ ବି ସ୍କୁଲ୍ କିମ୍ବା ଏପରି ଘଟାଇଥିବା ଛାତ୍ରର ପରିବାର ପକ୍ଷରୁ କୌଣସି ଅନୁକମ୍ପାମୂଳକ ରାଶି ଏଯାବତ୍ ମିଳିନାହିଁ।