ପୂଜା ଚାନ୍ଦା ପାଇଁ ମୁଣ୍ଡ ଫଟାଇ ଦେଲେ, ୨ ଗିରଫ

ଖଣ୍ଡଗିରି: ଗଣେଶ ପୂଜା ଚାନ୍ଦା ନ ଦେବାରୁ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବରବାରି ବସ୍ତିରେ ରହୁଥିବା ପୁରୀ ଜିଲ୍ଲା କଣାସ ଅଞ୍ଚଳର କୁନା ବେହେରା(୨୫) ଓ ନନ୍ଦ କିଶୋର ବେହେରା(୩୦)। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ବରବାରି ବସ୍ତିରେ ରହୁଥିବା ରାହୁଲ ମହାନ୍ତି ପୂର୍ବରୁ ସାହିର ହାପି ୟୁଥ୍‌ କ୍ଲବରେ ସଦସ୍ୟ ଥିଲେ। ମାତ୍ର ଏବେ ସେ ଅନ୍ୟ ଏକ କ୍ଲବର ସଦସ୍ୟ ଥିବାରୁ ହାପି ୟୁଥ୍‌ କ୍ଲବ କରୁଥିବା ଗଣେଶ ପୂଜା ପାଇଁ ଚାନ୍ଦା ଦେଇନଥିଲେ। ତେଣୁ ଗତକାଲି ସନ୍ଧ୍ୟା‌ରେ ଅଭିଯୁକ୍ତ କୁନା ଓ ନନ୍ଦଙ୍କ ସହ ୟୁଥ୍‌ କ୍ଲବର ଅନ୍ୟ କେତେକ ଯୁବକ ରାହୁଲ୍‌ଙ୍କୁ ମାଡ଼ ମାରିଥିଲେ। ଏ ନେଇ ରାହୁଲ୍‌ ତାଙ୍କ ସମ୍ପର୍କୀୟମାନଙ୍କୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ ବାହାରିଥିଲେ। ସେମାନେ ଥାନାକୁ ଯାଉଥିବାବେଳେ ବାଟରେ ଜଗି ରହିଥିବା ଅଭିଯୁକ୍ତମାନେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଠେଙ୍ଗା ପାହାରରେ ରାହୁଲଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ତାଙ୍କ ଶଳା ଭାଉଜ ଚିନ୍ମୟୀ ବେହେରା ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ କୁନା ଓ ନନ୍ଦକୁ ଛାଡ଼ି ଅନ୍ୟମାନେ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର