କୋଲାମ: କୋଲାମର କୁନ୍ଦରାରେ ନିଜ ମମତାକୁ ବଳି ପକାଇଛି ଜନୈକା ମା’ । ଏକ ଛୋଟ କଥାକୁ କେନ୍ଦ୍ର କରି ନିଜ ୧୪ ବର୍ଷର ନାବାଳକ ପୁଅକୁ ହତ୍ୟା କରିବାକୁ ସୁଦ୍ଧା କୁଣ୍ଠାବୋଧ କରିନାହିଁ ମା’। ବୁଧବାର ଜମି ଜମା ଝଗଡ଼ାକୁ ନେଇ ଜଣେ ମା’ ନିଜ ପୁଅକୁ ହତ୍ୟା କରିବା ସହ ତା’ ମରଶରୀରରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଜୟା ମୋଲ ନାମକ ଜନୈକା ମହିଳା ନିଜ ୧୪ ବର୍ଷର ନାବାଳକ ପୁତ୍ର ଜିଥୁ ଜବ୍ଙ୍କୁ ହତ୍ୟା କରିଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଗୁରୁବାର ଜୟାଙ୍କୁ ଗିରଫ କରିଛି। ଜୟା ମୋଲ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ରୋଷେଇ ଘରେ ସଂପତ୍ତି ବାଡ଼ିିକୁ ନେଇ ଜୟା ଏବଂ ତାଙ୍କ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ସେ ରାଗି ଯାଇ ସାଲରେ ତାଙ୍କ ପୁଅର ବେକକୁ ଚିପି ତା’କୁ ମାରି ଦେଇଥିଲେ । ଏହା ପରେ ସେ ପୁଅର ମୃତ ଦେହକୁ ଘର ପାଖରେ ଥିବା ଏକ ଚର୍ଚ୍ଚକୁ ନେଇ ସେଠାରେ କିରାସିନି ଢ଼ାଳି ଜଳାଇ ଦେଇଥିଲେ । ଏହି ଘଟଣା ଘଟିବା ସମୟରେ ଜୟାଙ୍କ ସ୍ୱାମୀ ଜବ୍ ଜି ଜନ୍ ଯିଏକି ଜଣେ ମେଡ଼ିକାଲ ଷ୍ଟୋରରେ କାମ କରନ୍ତି ଏବଂ ତାଙ୍କ ଝିଅ କୌଣସି କାମରେ ବହାରକୁ ଯାଇଥିଲେ ।
ପୂର୍ବରୁ ସଂପତ୍ତି ବାଡ଼ିକୁ ନେଇ ଜୟା ତାଙ୍କ ସ୍ୱାମୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ଝାଟି ଚାଲିଥିବା ଦୃଷ୍ଟିରୁ ତାଙ୍କ ପୁଅ କି ଝିଅ କେହି ସେଠାକୁ ଯିବେ ନାହିଁ ବୋଲି ସେ ପୂର୍ବରୁ ମନା କରିଥିଲେ। କିନ୍ତୁ ସୋମବାର ଜିଥୁ ଜବ୍ ଜୟାଙ୍କ କଥାକୁ ଉଲ୍ଲଙ୍ଘନ କରି ବାପାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯିବା ସହ ସେଠାରୁ ଫେରି ସେମାନେ ସଂପତ୍ତିରେ ଥିବା ବାପାଙ୍କ ଭାଗକୁ ଦେବେ ନାହିଁ ବୋଲି ଜୟାଙ୍କୁ କହିଥିଲେ । ଏହା ଶୁଣିବା ପରେ ରାଗରେ ଜୟା ଏପରି କରିଥିବା ଜଣା ପଡ଼ିଛି । ସୋମାବାର ଜିଥୁଙ୍କ ବାପା ତାଙ୍କ ପୁଅ ନିଖୋଜ ଅଛି ବୋଲି ପୁଲିସରେ ଏତଲା ଦେଇଥିବା ବେଳେ ଗୁରୁବାର କୁରେପାଲି ପାଖରେ ଥିବା ଏକ ଚର୍ଚ୍ଚ ନିକଟରୁ ତାଙ୍କ ଶବକୁ ଉଦ୍ଧାର କରିଥିଲା ପୁଲିସ ।