ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଇଁ ଆତ୍ମହତ୍ୟା କଲେ ମହିଳା କନେଷ୍ଟବଳ, ଭାଇରାଲ ହେଲା ସୁଇସାଇଡ୍‌ ନୋଟ୍‌

ବାରାବଙ୍କି: ଉତ୍ତରପ୍ରଦେଶର ବାରାବଙ୍କିରେ ଜଣେ ମହିଳା କନେଷ୍ଟବଳ ରହୁଥିବା ଘରେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଘଟଣାର ଖବର ପାଇ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତଦେହ ପାଖରୁ ଏକ ଚିଠି ଜବତ କରିଥିଲା । ଯାହା ଏବେ ଭାଇରାଲ ହୋଇଛି । ଜବତ ହୋଇଥିବା ଚିଠିରେ ମୃତା କନେଷ୍ଟବଳ ପୁଲିସକର୍ମୀମାନଙ୍କ ଉପରେ ମାନସିକ ନିର୍ଯାତନା ଏବଂ ଛୁଟି ନ ଦେବାର ଆରୋପ ଲଗାଇଥିବା ଦେଖା ଯାଇଛି ।

ଘଟଣାଟି କୋତଓ୍ଵାଲି ଅଞ୍ଚଳରେ ଘଟିଥିବା ବେଳେ ପୀଡ଼ିତା କୋତଓ୍ଵାଲିରେ ପୁଲିସ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଥିଲେ । ଘର ହର୍‌ଦୋଇ ଜିଲ୍ଲାରେ ହୋଇଥିବା ବେଳେ ବର୍ଷେ ହେବ ସେ କୋତଓ୍ଵାଲିରେ କାମ କରି ଆସୁଥିଲେ । କନେଷ୍ଟବଳ ମୋନିକାଙ୍କ ମୃତଦେହ ପାଖରୁ ଚିଠି ମିଳିବା ପରେ ହର୍‌ଦୋଇ ପୁଲିସ ଏହାକୁ ଲଚାଇ ଦେଇଥିଲା । କିନ୍ତୁ ଏହି ଘଟଣାର କିଛି ଘଣ୍ଟା ପରେ ଚିଠିଟି ହ୍ଵାଟସଆପ୍‌ରେ ଭାଇରାଲ ହୋଇ ଯାଇଥିଲା ।

oneindia.com

ଭାଇରାଲ ହୋଇଥିବା ଚିଠିରେ “ଥାନାରେ ମୋତେ କ୍ରାଇମ୍‌ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟ୍‌ଓ୍ଵାର୍କ ସିଷ୍ଟମରେ କାମ କରିବା ପାଇଁ ନିଯୁକ୍ତି ଦିଆ ଯାଇଥିବା ବେଳେ ସବୁବେଳେ ମୋତେ ବାହାରକୁ ଯାଇ ବାହାର କାମ କରିବା ପାଇଁ କୁହାଯାଉଥିଲା । ଏହାର ବିରୋଧ କରିବାରୁ କନେଷ୍ଟବଳ ରୁଖ୍‌ସାର ଅହମ୍ମଦ ଏବଂ ଏସ୍‌ଏଚ୍‌ଓ ପର୍ଶୁରାମ ଓଝା ମୋତେ ପ୍ରତାରିତ କରିଥିଲେ । ସେପ୍ଟେମ୍ବର ୨୯ରେ ଯେତେବେଳେ ମୁଁ ଛୁଟିର ଆବେଦନ ପତ୍ର ନେଇ ପର୍ଶୁରାମ ଓଝାଙ୍କ ପାଖକୁ ଯାଇଥିଲି । ସେ ରେଜିଷ୍ଟର ଫିଙ୍ଗିବା ସହ ମୋତେ ଛୁଟି ଦେବା ପାଇଁ ମନା କରି ଦେଇଥିଲେ । କାମ କରିବା ପରେ ଛୁଟି ନେବା ସବୁ କର୍ମଚାରୀଙ୍କ ଅଧିକାର ହୋଇଥାଏ । ଯଦି ସେଥିପାଇଁ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଭିକ ମାଗିବାକୁ ପଡ଼େ ତେବେ ଏହା ସଂପୂର୍ଣ୍ଣ ଭୁଲ । ଯଦି ମୋତେ ଛୁଟି ମିଳି ଯାଇଥାନ୍ତା, ତେବେ ମୁଁ ଆତ୍ମହତ୍ୟା ଭଳି ପଦକ୍ଷପ କେବେ ନେଇ ନଥାନ୍ତି” ବୋଲି ମୋନିକା ଲେଖିଥିବା ଦେଖା ଯାଇଛି । ତେବେ ଏହି ଚିଠି ଭାଇରାଲ ହେବା ପରେ ଏହାର ତଦନ୍ତରେ ଲାଗି ପଡ଼ିଛି ହର୍‌ଦୋଇ ପୁଲିସ ।

ସମ୍ବନ୍ଧିତ ଖବର