ବାଣଫୁଟାକୁ ନେଇ ପ୍ରାଣାନ୍ତକ ଆକ୍ରମଣ

ଅଭିଯୁକ୍ତଙ୍କୁ ଗିରଫ କରୁନି ପୁଲିସ

ଭୁବନେଶ୍ୱର: ବାଣଫୁଟାକୁ ନେଇ ଦୀପାବଳି ରାତିରେ ଘଟିଥିବା ଏକ ପ୍ରାଣାନ୍ତକ ଆକ୍ରମଣ ମାମଲାର ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରୁ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଓଡ଼ିଶା ବିକାଶ ପରିଷଦର ଶତାଧିକ ଯୁବକ ଅଭିଯୁକ୍ତଙ୍କ ଗିରଫ ଦାବିରେ ଖାରବେଳନଗର ଥାନା ଘେରାଉ କରିଛନ୍ତି। ଏ ନେଇ ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ଇନ୍ସପେକ୍ଟର ରବୀନ୍ଦ୍ରନାଥ ମେହେରଙ୍କୁ ପ୍ରଦାନ କରାଯାଇଛି। ପୁଲିସ ସ୍ମାରକପତ୍ର ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଥାନା ଘେରାଉ ପ୍ରତ୍ୟାହୃତ ହୋଇଥିଲା। ତେବେ ସଂଧ୍ୟାରେ ପୁଣି ଥରେ ପରିଷଦ ପକ୍ଷରୁ ଥାନା ଘେରାଉ କରାଯାଇଥିବା ସୂଚନା ମିଳିଛି।

ଓଡ଼ିଶା ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ପାଢ଼ୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ୧୧ତାଲା ହାଉସିଂବୋର୍ଡ ଛକରେ ପରିଷଦର ସଦସ୍ୟ ଆଲୋକ ଦାସ, ଚିନ୍ମୟ କୁମାର ସାହୁ, ଅମିତ ଦାସ, ଭରତ ଚକ୍ରବର୍ତୀ, ରାକେଶ ମଲ୍ଲିକ, ଜଗନ୍ନାଥ ଦାସ ପ୍ରମୁଖ ବାଣ ଫୁଟାଉଥିଲେ। ଏହି ସମୟରେ ପ୍ରେସ୍‌ କଲୋନିର କାନ୍ତା ରେଡ୍ଡି ସେହି ରାସ୍ତାରେ ଯାଉଥିଲେ। ବାଣ ଫୁଟାଇବାକୁ ନେଇ କାନ୍ତାଙ୍କ ସହିତ ଆଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ପରେ କାନ୍ତା ଓ ତାଙ୍କର ୩୦ରୁ ଅଧିକ ସହଯୋଗୀ ହାତରେ ଲୁହାରଡ଼, ଗୁପ୍ତି, ହକି ଷ୍ଟିକ୍‌ ଆଦି ଧରି ୧୧ତାଲା ହାଉସିଂବୋର୍ଡ ଛକରେ ପହଞ୍ଚିଥିଲେ। ସେମାନେ ଆଲୋକ, ଚିନ୍ମୟ, ଅମିତ, ଭରତ ଓ ରାକେଶଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏ ନେଇ ଆଲୋକ ପ୍ରମୁଖ ଅନ୍ୟମାନେ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ଉଦ୍ୟମ ସମେତ ୧୦ଟି କଡ଼ା ଦଫାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଭାବେ ପୁଲିସ କାନ୍ତା ରେଡି ଓ ତାର ସହଯୋଗୀ ସୌମ୍ୟରଂଜନ, ବାପୁନ ବେହେରା, ଆଲଫନ୍‌ ଦେ, ମିଥୁନ ଭୂୟାଁ, ପ୍ରଶାନ୍ତ ନାୟକ, ନିଖିଲେଶ ମିଶ୍ର, ସନତ ସୁଶାନ୍ତ ପଣ୍ଡା, ସଂଜୟ କୁମାର ସ୍ୱାଇଁ, ସୁକଦେବ କାଠୁଆ, ଛବି ସେଠୀଙ୍କୁ ଦର୍ଶାଇଛି। କିନ୍ତୁ ଏହି ଆକ୍ରମଣ ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏଯାଏ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ। ପୁଲିସ କେବଳ କାନ୍ତାର ଏକ ବୁଲେଟ ଜବତ କରି ବସି ପଡ଼ିଛି। ତେଣୁ କାନ୍ତାକୁ ପୁଲିସ ସହଯୋଗ କରୁଥିବା ଅଭିଯୋଗ କରିଛି ଓଡ଼ିଶା ବିକାଶ ପରିଷଦ।

ଏସବୁ ପ୍ରତିବାଦରେ ସଂଧ୍ୟାରେ ପୁଣି ଥରେ ବିକାଶ ପରିଷଦ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ବିକାଶ ପରିଷଦ ସଦସ୍ୟଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ଫେରାର ଏବଂ ବାରମ୍ବାର ଥାନା ଘେରାଉ ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଗତକାଲି ରାତିରେ କାନ୍ତା ସମେତ ଅନ୍ୟମାନଙ୍କ ଘରେ ଚଢ଼ଉ କରାଯାଇଥିଲା। ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ପୁଲିସ କାନ୍ତାର ଏକ ବୁଲେଟ୍‌ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। କାନ୍ତା ଗିରଫ ହେବା ପରେ ବିରୋଧରେ ୧୧୦ ଦଫାରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଡିସିପି ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର