ଆକାଉଣ୍ଟରୁ ୩୦ ହଜାର ଲୁଟ୍‌

ଭୁବନେଶ୍ୱର: ପୁରୀ ଜିଲ୍ଲା ନାଗପୁର ଗାଁର ଏକାଦଶୀ ବେହେରା (୩୩)ଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତ ୯ ତାରିଖରେ ସେ ଭୁବନେଶ୍ୱରସ୍ଥିତ ଏକ ନମ୍ବର ମାର୍କେଟକୁ କିଛି ସାମଗ୍ରୀ କିଣିବାକୁ ଆସିଥିଲେ। ତେବେ ଟଙ୍କା ଅଭାବ ହେବାରୁ ଏକାଦଶୀ ମାର୍କେଟ ପାଖ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେ ଏଟିଏମ୍‌ରେ ମେସିନରେ କାର୍ଡ଼ ଭର୍ତ୍ତି କରିବା ବେଳକୁ ସେଠାରେ ଆଗରୁ ଥିବା ଜଣେ ଯୁବକ ମେସିନରେ ଟଙ୍କା ନାହିଁ ବୋଲି ତାଙ୍କୁ କହିଥିଲା। କିନ୍ତୁ ଏକାଦଶୀଙ୍କୁ ତୁରନ୍ତ ଟଙ୍କା ଦରକାର ଥିବାରୁ ସେ ଏଟିଏମ ମେସିନରେ କ୍ୟାନସଲ ବଟନ ନ ମାରି ସେଠାରୁ ପଳାଇଥିଲେ। ଏହାର ସୁଯୋଗ ନେଇ ଏକାଦଶୀଙ୍କ ଉପରେ ନଜର ରଖିଥିବା ଯୁବକ ବଡ଼ ଚତୁରତାର ସହ ତାଙ୍କ ଏଟିଏମରୁ ୩୦ ହଜାର ଟଙ୍କା ଉକ୍ତ ଏଟିଏମ୍‌ ମେସିନ୍‌ରୁ କାଢ଼ି ନେଇଥିଲା। କିଛି ସମୟ ପରେ ଆକାଉଣ୍ଟରୁ ଟଙ୍କା କଟିଥିବା ଏକାଦଶୀଙ୍କୁ ମୋବାଇଲରେ ମେସେଜ ଆସିଥିଲା। ଏହା ଦେଖି ଏକାଦଶୀଙ୍କ ମୁଣ୍ଡ କାମ କରିନଥିଲା। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର