ଭୁବନେଶ୍ୱର : ଚକେଇସିଆଣୀ ଭଗବତୀ ବସ୍ତିର ଜଣେ ନାବାଳକକୁ ଅପହରଣ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର କୈଳାସ ମଲ୍ଲିକ (୪୮)। ଏଠାରେ ଚକେଇସିଆଣୀ ଭଗବତୀ ବସ୍ତିରେ ରହେ। ପୁଲିସ ସୂଚନା ମୁତାବକ, ଗତ ମାସ ୨୪ ତାରିଖ ରାତିରେ କୈଳାସ, ପ୍ରକାଶ ମଲ୍ଲିକ ଓ ଜୟନ୍ତୀ ମଲ୍ଲିକ ସେହି ବସ୍ତିର ଦମୟନ୍ତୀ ଲେଙ୍କାଙ୍କ ପୁଅକୁ ଅପହରଣ କରି ନୟାଗଡ଼ ନେଇ ଯାଇଥିଲେ। ତେବେ ୨୮ ତାରିଖରେ ପୁଲିସର ଏକ ଟିମ୍ ଖଣ୍ଡପଡ଼ା ଅଞ୍ଚଳରେ ଥିବା ପ୍ରକାଶର ଶ୍ୱଶୁର ଘରେ ଚଢ଼ଉ କରି ନାବାଳକଙ୍କୁ ଉଦ୍ଧାର କରିବା ସହ ଅପହର୍ତା ଦମ୍ପତିକୁ ଗିରଫ କରିଥିଲା। ହେଲେ କୈଳାସ ଫେରାର୍ ହୋଇଯାଇଥିଲା। ଶୁକ୍ରବାର ରାତିରେ କୈଳାସ ବସ୍ତିରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତା’କୁ ଗିରଫ କରିଥିଲା।
ଅପହର୍ତା ଗିରଫ, ନାବାଳିକା ଉଦ୍ଧାର
ଭୁବନେଶ୍ୱର : ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅପହରଣକାରୀକୁ ଗିରଫ କରିଛି। ସେ ହେଲା ସାଲିଆସାହି ଅଞ୍ଚଳର ନରାୟଣ ସେଠୀ ଓରଫ ଲିଟୁ ସେଠୀ (୨୦)। ଗତ କିଛିମାସ ହେବ ଲିଟୁ ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ପିଛା କରିବା ସହ ହଇରାଣ ହରକତ କରୁଥିଲା। ଏମିତିକି ନାବାଳିକାଙ୍କୁ ବିବାହ କରିବା ପାଇଁ ବାରମ୍ବାର ରାସ୍ତାରେ ଅଟକାଇ ଅନୁରୋଧ କରୁଥିଲା। ତେବେ ନାବାଳିକାଜଣଙ୍କ ଲିଟୁଙ୍କ କଥାରେ ରାଜି ହୋଇନଥିଲେ। ଫଳରେ ଲିଟୁ ପ୍ରତିଶୋଧ ପରାୟଣ ହୋଇ ସୁଯୋଗକୁ ଅପେକ୍ଷା କରିଥିଲା। ସପ୍ତାହ ତଳେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ଲିଟୁ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ତେବେ ନାବାଳିକା ଘରେ ନଥିବା ଦେଖି ପରିବାରଲୋକ ଖୋଜାଖୋଜି କରିଥିଲେ। ନ ପାଇବାରୁ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଗତକାଲି ରାତିରେ ପୁଲିସ ସାଲିଆସାହି ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଲିଟୁକୁ ଗିରଫ କରିଥିଲା। ଆଜି ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାରଲୋକଙ୍କୁ ଜିମା ଦେଇଥିବା ବେଳେ ଲିଟୁକୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/arrested-aa.jpg)