ଗାଡ଼ି ପାର୍କିଂକୁ ନେଇ ଯୁବକଙ୍କୁ ଆକ୍ରମଣ : ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଝାରପଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା(୨୭)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଗତ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଉମର ଅଲ୍ଲୀ ଖାଁ ନାମକ ଜଣେ ଯୁବକ ଗାଡ଼ି ପାର୍କିଂ କରି ଚା’ ପିଉଥିଲେ। ସେହି ସମୟରେ କୃଷ୍ଣ ଉମର ନିକଟକୁ ଯାଇ ସେଠାରୁ ଗାଡ଼ି ଉଠାଇବାକୁ କହିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଗି ଯାଇ କୃଷ୍ଣ ଏକ କାଠ ଫାଳିଆରେ ଉମରଙ୍କୁ ନିସ୍ତୁକ ପିଟିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଉମରଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପରେ ଉମର ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ କୃଷ୍ଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ମଞ୍ଚେଶ୍ବର ଝରଣାବସ୍ତି ଅଞ୍ଚଳର ଦୀପୁ ଭୋଳ(୧୮)। ପୁଲିସ ସୂଚନା ମୁତାବକ, ଦୀପୁ ଏକତରଫା ଭାବେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଭଲ ପାଉଥିଲା। କିଛି ଦିନ ତଳେ ନାବାଳିକାଜଣଙ୍କ ସ୍କୁଲ୍‌ରୁ ଫେରୁଥିବା ବେଳେ ଦୀପୁ ତାଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲା। ହେଲେ ନାବାଳିକା ଦୀପୁ କଥାରେ ରାଜି ହୋଇ ନଥିଲେ। ଏଥିରେ ରାଗିଯାଇ ଦୀପୁ ଗତ ୩ ତାରିଖ ସନ୍ଧ୍ୟାରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗରେ ତାଙ୍କୁ ଦୁଷ୍କର୍ମ କରିଥିଲା। ଗଲା ବେଳେ ସେ ନାବାଳିକାଙ୍କୁ ଧମକ ଦେଇ ଫେରାର୍‌ ହୋଇଯାଇଥିଲା। ନାବାଳିକାଜଣଙ୍କ ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସ ଆଜି ଦୀପୁକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର